ଅର୍ଜୁନ ଙ୍କୁ ବିଜତଳା ଏବଂ ବିଶୋଇରେ ବିପୁଳ ସ୍ଵାଗତ।
ବାରିପଦା: ତା-୦୭/୦୩/୦୨୩ (ସଂଜୀବ କୁମାର ରଣଜିତ ) ଓଡ଼ିଶାରେ ଆଦିବାସୀଙ୍କ ପାରମ୍ପାରିକ ବିଚାର ବ୍ୟବସ୍ଥା ମାଝୀ ପାରଗାନା, ମାନକି ମୁଣ୍ଡା, ପାହାଡି ପଧାନି ଆଦି ବ୍ୟବସ୍ଥାକୁ ସ୍ୱୀକୃତି ଦେବା ସଙ୍ଗେ ସଙ୍ଗେ ପାରମ୍ପାରିକ ମୁଖ୍ୟଙ୍କୁ ଭତ୍ତା ପ୍ରଦାନ କରିବା ସହ ସାନ୍ତାଳୀ, ହୋ, ମୁଣ୍ଡାରୀ ଭାଷାକୁ ଦ୍ୱିତୀୟ ରାଜ୍ୟ ଭାଷାର ମାନ୍ୟତା ପ୍ରଦାନ କରିବା ଦାବୀରେ ମାସା ଆର୍ମି ରାଜ୍ୟ ସାଧାରଣ ସମ୍ପାଦକ ଅର୍ଜୁନ ମୁର୍ମୁ ତିରିଂ ରୁ ଭୁବନେଶ୍ଵର ରାଜଭବନ ଅଭିମୁଖେ ସାଇକେଲଯାତ୍ରା ଆରମ୍ଭ କରି ଛଅ ଦିନ ରେ ମଙ୍ଗଳବାର ବିଶୋଇରେ ପହଞ୍ଚିଛନ୍ତି । ବିଜାତଳା ଠାରେ ମାସା ଆର୍ମି ଜିଲ୍ଲା ସମ୍ପାଦକ ହାଡିବନ୍ଧୁ ଟୁଡ଼ୁଙ୍କ ନେତୃତ୍ଵରେ ସ୍ଥାନୀୟ ବାସୀମାନେ ଶ୍ରୀ ମୁର୍ମୁ ଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ଵାଗତ କରିଥିଲେ । ପରେ ସାର୍ନାଛକ ଠାରେ ବିଶୋଇ ଗ୍ରାମପଞ୍ଚାୟତର ପଞ୍ଚାୟତ ସମିତି ସଭ୍ୟ କାଶୁ ମାଝୀ ତାଙ୍କ ସାଥୀଙ୍କ ସହ ସ୍ଵାଗତ କରିଥିଲେ ଏବଂ ଶେଷରେ ବିଶୋଇ ବ୍ଲକ ଅନ୍ତର୍ଗତ ବିର୍ଷାମୁଣ୍ଡା ଛକରେ ଆଦିବାସୀ ପାରମ୍ପାରିକ ନୃତ୍ୟ ପରିବେଷଣ କରି ପୁଷ୍ପଗୁଚ୍ଛ ସହ ଆଦିବାସୀ ରିତିନୀତିରେ ଗୋଡଧୋଇ ବିଶୋଇ ବାସୀଙ୍କ ଦ୍ୱାରା ସ୍ଵାଗତ କରାଯାଇଥିଲା । ଏଥିନେଇ ଏକ ପଥପ୍ରାନ୍ତ ସଭା ମଧ୍ୟ ହୋଇଥିଲା । ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ମୁର୍ମୁଙ୍କ କହିବା ଅନୁସାରେ ୧୯୯୨ରେ ୭୩ତମ ସମ୍ବିଧାନ ସଂଶୋଧନ ବିଲ୍ ପରେ ପରେ ପଞ୍ଚାୟତରାଜ ବ୍ୟବସ୍ଥାରେ ଆଦିବାସୀମାନଙ୍କ ଏହି ବ୍ୟବସ୍ଥାକୁ ସ୍ଵୀକୃତି ଦେବାପାଇଁ ୧୯୯୬ ମସିହାରେ ପେସା ଅଧିନିୟମ ଜାରି ହୋଇଥିଲା । କେବଳ ବିଚାର ବ୍ୟବସ୍ଥା ନୁହେଁ ଗ୍ରାମରେ ଥିବା ଜଳ, ଜଙ୍ଗଲ, ଜମି, ଖଣି ଇତ୍ୟାଦି ପ୍ରାକୃତିକ ସମ୍ପଦର ମାଲିକାନାକୁ ମଧ୍ୟ ଏହି ପାଞ୍ଚ ପଞ୍ଚାୟତର ପାରମ୍ପାରିକ ଗ୍ରାମସଭାକୁ ସ୍ଥାନାନ୍ତରିତ କରିବା ଉଦ୍ଦେଶ୍ୟ ରହିଛି । ଆଦିବାସୀ ପାରମ୍ପାରିକ ମୁଖ୍ୟ ମାଝୀ-ପାରଗାନା,ମାନକୀ-ମୁଣ୍ଡା, ପାହାଡି-ପଧାନ ଇତ୍ୟାଦିକୁ ଆବଶ୍ୟକ ସ୍ଵୀକୃତି ଦେବାର ଉଦ୍ୟମ କରି ଝାଡଖଣ୍ଡ ସରକାର ତାଙ୍କ ପାଇଁ ଭତ୍ତା ଦେବାର ବନ୍ଦବସ୍ତ କରିଛନ୍ତି । ପେସା ଅଧିନୀୟମ ଅନୁଯାୟୀ ଆଗାମୀ ଦିନରେ ତାଙ୍କୁ ଅଧିକ କ୍ଷମତା ଦେବାପାଇଁ ଉଦ୍ୟମ ଚାଲିଛି । କିନ୍ତୁ ଦୁର୍ଭାଗ୍ୟର ବିଷୟ ଓଡିଶା ସରକାର ଏହି ପାରମ୍ପରିକ ବିଚାର ବ୍ୟବସ୍ଥାକୁ ଶକ୍ତିଶାଳୀ କରିବାପାଇଁ ଅଧ୍ୟାବଧି କିଛି ପଦକ୍ଷେପ ଗ୍ରହଣ କରିନାହାନ୍ତି ବୋଲି ଶ୍ରୀ ମୁର୍ମୁ ପ୍ରକାଶ କରିଥିଲେ । ଏହି ଦାବୀ ପୂରଣହେଲେ ସୁବିଧାରେ ନ୍ୟାୟ ପାଇପାରିବେ । ଜଟିଳ ନ୍ୟାୟିକା ବ୍ୟବସ୍ଥାକୁ ଡରି ଅନ୍ୟାୟର ଶିକାର ହେଉଥିବା ବହୁ ନିରୀହ ଆଦିବାସୀ ଭାଇଭଉଣୀ ମାନେ ଉପଯୁକ୍ତ ସୁରକ୍ଷା ଏବଂ ନ୍ୟାୟ ପାରିବେ।