ବାରିପଦା ୧୮/୧୧: ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ଚାଲିଥିବା ପୂର୍ବ ଭାରତୀୟ ଆନ୍ତଃ-ବିଶ୍ୱବିଦ୍ୟାଳୟ ପୁରୁଷ କବାଡ଼ି ପ୍ରତିଯୋଗିତା ଶନିବାର ଦିନ ଉଦଯାପିତ ହୋଇଯାଇଛି । ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ହେମନ୍ତ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉଦ୍‌ଯାପନୀ ଉତ୍ସବରେ ଓଡ଼ିଶା ଉଚ୍ଚ ଶିକ୍ଷା ବିଭାଗର ଆଞ୍ଚଳିକ ନିର୍ଦ୍ଦେଶକ ଡ. ହେମନ୍ତ କୁମାର ଘଡ଼େଇ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । କ୍ରମାଗତ ଦ୍ୱିତୀୟଥର ପାଇଁ ବିଶ୍ୱବିଦ୍ୟାଳୟ ଏହି ପ୍ରତିଯୋଗିତା ସଫଳ ରୂପେ ଆୟୋଜନ କରିପାରିଥିବାରୁ ଡ. ଘଡ଼େଇ ନିଜ ବକ୍ତବ୍ୟରେ ସାଧୁବାଦ ଜ୍ଞାପନ କରିଥିଲେ । ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ହେମନ୍ତ କୁମାର ସାହୁ, କୁଳସଚିବ ସହଦେବ ସମାଧିଆ ଓ ବିତ୍ତ ନିୟନ୍ତ୍ରକ ଶୁକଦେବ ତରେଇ ଏହି ପ୍ରତିଯୋଗିତାର ସଫଳ ଆୟୋଜନ ପାଇଁ ବିଶ୍ୱବିଦ୍ୟାଳୟର ସମସ୍ତ କର୍ମଚାରୀ ଓ ଛାତ୍ରଛାତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ । ୪ଟି ବିଜୟୀ ଟିମ୍‌ଙ୍କୁ ଟ୍ରଫି ପ୍ରଦାନ କରା ଯାଇଥିଲା ଏବଂ ପରେ ଧ୍ୱଜା ଅବତରଣ ଓ ମଶାଲ ନିର୍ବାପନ କରାଯାଇଥିଲା । କ୍ରୀଡ଼ା ପରିଷଦର ସମ୍ପାଦକ ଡ. ପ୍ରଭଞ୍ଜନ ମଲ୍ଲିକ ଧନ୍ୟବାଦ ଅର୍ପଣ କରିବା ସହ ଏହି ପ୍ରତିଯୋଗିତାର ସଫଳତା ନିମନ୍ତେ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କୁ ତାଙ୍କର ଦୂରଦୃଷ୍ଟି ସମ୍ପନ୍ନ ଚିନ୍ତାଧାରା ତଥା ଏହାର ସମସ୍ତ ଯୋଜନା, ଆୟୋଜନର ଭିତ୍ତିଭୂମି ସୃଷ୍ଟି କରିଥିବାରୁ କୃତଜ୍ଞତା ଜ୍ଞାପନ କରିଥିଲେ । ସହଯୋଗୀ ପ୍ରଫେସର ଡ. ପୁଷ୍ପାଞ୍ଜଳି ପରିଡ଼ା ମଞ୍ଚ ପରିଚାଳନା କରିଥିଲେ ।

ଇଷ୍ଟଜୋନ୍‌ ପାଇଁ ଉନ୍ନୀତ ହୋଇଥିବା ୪ଟି ବିଶ୍ୱବିଦ୍ୟାଳୟ ଯଥା ଆଡାମାସ ବିଶ୍ୱବିଦ୍ୟାଳୟ, ଜନନାୟକ ଚନ୍ଦ୍ରଶେଖର ବିଶ୍ୱବିଦ୍ୟାଳୟ ବାଲିଆ, ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ପୁରୀ ଓ ଭି.ବି.ଏସ୍‌.ପୂର୍ବାଞ୍ଚଳ ବିଶ୍ୱବିଦ୍ୟାଳୟଙ୍କ ମଧ୍ୟରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ପାଇଁ ପ୍ରତିଦ୍ୱନ୍ଦିତା ହୋଇଥିଲା । ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ପୁରୀ ୪୧-୩୭ ରେ ଭି.ବି.ଏସ୍‌.ପୂର୍ବାଞ୍ଚଳ ବିଶ୍ୱବିଦ୍ୟାଳୟକୁ ପରାସ୍ତ କରି ଚମ୍ପିୟାନ୍‌ ଟ୍ରଫି ହାସଲ କରିଥିଲା । ଭି.ବି.ଏସ୍‌.ପୂର୍ବାଞ୍ଚଳ ବିଶ୍ୱବିଦ୍ୟାଳୟ ରନର୍ସ ଅପ୍‌ ଟ୍ରଫି ପାଇଥିଲା । ସେହିଭଳି ତୃତୀୟ ସ୍ଥାନ ପାଇଁ ଆଡାମାସ ବିଶ୍ୱବିଦ୍ୟାଳୟ ଓ ଜନନାୟକ ଚନ୍ଦ୍ରଶେଖର ବିଶ୍ୱବିଦ୍ୟାଳୟ ବାଲିଆ ମଧ୍ୟରେ ମ୍ୟାଚ୍‌ ହୋଇଥିଲା । ଏଥିରେ ଜନନାୟକ ଚନ୍ଦ୍ରଶେଖର ବିଶ୍ୱବିଦ୍ୟାଳୟ ବାଲିଆ ୩୬-୩୩ରେ ବିଜୟ ଲାଭ କରି ତୃତୀୟ ସ୍ଥାନ ପାଇଥିଲା ।

ଚାରିଦିନ ଧରି ଚାଲିଥିବା ଏହି ପ୍ରତିଯୋଗିତାରେ ବିଶ୍ୱବିଦ୍ୟାଳୟର କ୍ରୀଡ଼ା ପରିଷଦର କର୍ମକର୍ତ୍ତା ସଞ୍ଜୀବ କୁମାର ତନ୍ତୀ, ଉଜିତ କୁମାର ଦାସ, ବିଶ୍ୱବିଦ୍ୟାଳୟ କ୍ରୀଡ଼ା ଶିକ୍ଷକ ଶ୍ରୀ ପ୍ରଦୀପ୍ତ ରଞ୍ଜନ ଦାସ, ମହାରାଜା ପୂର୍ଣ୍ଣଚନ୍ଦ୍ର ସ୍ୱୟଂଶାଶିତ ମହାବିଦ୍ୟାଳୟର କ୍ରୀଡ଼ା ଶିକ୍ଷକ ସତ୍ୟନାରାୟଣ ବାରିକ, ସୀମାନ୍ତ ମହାବିଦ୍ୟାଳୟର ଶ୍ରଦ୍ଧାନନ୍ଦ ସାହୁ, ବାରିପଦା ମହାବିଦ୍ୟାଳୟର ତାପସ କୁମାର ସାମଲ ପ୍ରମୁଖ ଖେଳ ପରିଚାଳନାରେ ସହଯୋଗ କରିଥିଲେ । ଓଡ଼ିଶା କବାଡ଼ି ଆସୋସିଏସନର ଅଧ୍ୟକ୍ଷ ପଦ୍ମଚରଣ ପ୍ରଧାନଙ୍କ ସମେତ ଆସୋସିଏସନର ସମସ୍ତ ସଭ୍ୟ, ଖୋର୍ଦ୍ଧା ଜିଲ୍ଲା କ୍ରୀଡ଼ା ଅଧିକାରୀ ଅଜୟ କୁମାର ବେହେରା, ବଳଙ୍ଗା ମହାବିଦ୍ୟାଳୟର ଡ. ନୀଳକଣ୍ଠ ମିଶ୍ର, ମାଣିତିରା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅସିତ କୁମାର ପାଲ ସମସ୍ତ ଖେଳକୁ ପରିଚାଳନା କରିବାରେ ସହଯୋଗ କରିଥିଲେ । ଏହି କ୍ରୀଡ଼ା ମହାକୁମ୍ଭର ସଫଳ ଆୟୋଜନରେ ବିଶ୍ୱବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, ଛାତ୍ରଛାତ୍ରୀ, ମୟୂରଭଞ୍ଜର ଜନସାଧାରଣ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *