ବାରିପଦା: ତା-୩୦/୦୩/୦୨୩ ଝାଡଖଣ୍ଡ ସରକାରଙ୍କ ପୂର୍ବତନ ମନ୍ତ୍ରୀ ତଥା ଏବେର ରାଞ୍ଚି ବିଧାୟକ ସି.ପି. ସିଂଙ୍କ ଗଣମାଧମ ସମ୍ମୁଖରେ ଦେଇଥିବା ମନ୍ତବ୍ୟ – “ଏହା କେଉଁ ଭାଷାରେ ଲେଖାଯାଇଛି,କିଛି ବୁଝାପଡ଼ୁନାହିଁ ।” ଯାହାକି ଝାଡଖଣ୍ଡ ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗ ଦ୍ଵାରା ଝାଡଖଣ୍ଡର କେତେକ ଅଗ୍ରଣୀ ସମ୍ବାଦପତ୍ରରେ ଝାଡଖଣ୍ଡ ସରକାରଙ୍କର ବଜେଟ୍ ବିଜ୍ଞାପନ ସାନ୍ତାଳୀ ଭାଷାରେ ଅଲଚିକି ଲିପିରେ ପ୍ରକାଶ ପାଇଥିଲା, ଏହା ଉପରେ ମନ୍ତବ୍ୟ ରଖିଥିଲେ । ଏହାକୁ ଦୃଢ ଭାବରେ ବିରୋଧ ସହ ନିନ୍ଦା କରିଛନ୍ତି ମାସା ଆର୍ମିର ରାଜ୍ୟ ସାଧାରଣ ସମ୍ପାଦକ ଅର୍ଜୁନ ମୁର୍ମୁ । ସି.ପି. ସିଂଙ୍କ ଅନ୍ୟ ଭାଷା ପ୍ରତି ଥିବା ହେୟ ମନୋଭାବ ଏଥିରୁ ସ୍ପଷ୍ଟଭାବେ ବାରି ହୋଇ ପଡୁଛି । ବିଧାୟକ ମହୋଦୟ ମନେରଖିବା ଉଚିତ୍ ଥିଲା ଯେ ସାନ୍ତାଳୀ ଭାଷା ୨୦୦୪ ମସିହାରେ ତତ୍କାଳିନ ପ୍ରଧାନମନ୍ତ୍ରୀ ସ୍ଵର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ସମୟରେ ଭାରତୀୟ ସମ୍ବିଧାନର ୮ମ ଅନୁସୂଚିରେ ସାମିଲ ହୋଇଥିଲା । ପରବର୍ତ୍ତୀ ସମୟରେ ୨୦୦୫ ମସିହାରେ ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରାଳୟ ଅଧିନରେ ଥିବା ସ୍ଵୟଂଶାସିତ ସାହିତ୍ୟିକ ସଂସ୍ଥା କେନ୍ଦ୍ର ସାହିତ୍ୟ ଏକାଡ଼େମୀ ନୂଆଁଦିଲ୍ଲୀ ମଧ୍ୟ ସ୍ଵୀକୃତି ପ୍ରଦାନ କରିଛି । ସଂପ୍ରତି ସାହିତ୍ୟ ଏକାଡେମୀରେ ସର୍ବମୋଟ ୨୪ ଟି ସ୍ଵୀକୃତିପ୍ରାପ୍ତ ଭାଷା ରହିଛି ଓ ସମ୍ବିଧାନର ୮ମ ଅନୁସୂଚି ରେ ୨୨ଟି ଭାରତୀୟ ଭାଷା ରହିଛି । ସାହିତ୍ୟ ଏକାଡେମୀ ସାନ୍ତାଳୀ ଭାଷା ପାଇଁ ଅଲଚିକି ଲିପିକୁ ହିଁ ସ୍ଵୀକୃତି ପ୍ରଦାନ କରିଛି । ଏପରିସ୍ଥଳେ ସି.ପି. ସିଂ ମହୋଦୟ ସାନ୍ତାଳୀ ଭାଷା ଓ ଏହାର ଲିପି ଅଲଚିକି କୁ ତାଚ୍ଛଲ୍ଯ ଓ ଉପହାସ କରିବା ସାନ୍ତାଳୀ ଭାଷାପ୍ରେମୀଙ୍କୁ ଗଭୀର ମାନସିକ ଆଘାତ୍ ଦେଇଛି । ଜଣେ ବିରୋଧି ଦଳର ବିଧାୟକଭାବେ ଶ୍ରୀ ସିଂଙ୍କର ବର୍ତ୍ତମାନର ହେମନ୍ତ ସୋରେନ ସରକାରଙ୍କୁ ସମାଲୋଚନା କରିବାର ଅଧିକାର ରହିଛି, କିନ୍ତୁ ଗୋଟିଏ ଆଦିବାସୀ ଭାଷାପ୍ରତି ଗଣମାଧ୍ୟମ ସମ୍ମୁଖରେ ଏପରି ତାଚ୍ଛଲ୍ଯଭରା ଶବ୍ଦ ପ୍ରୟୋଗ ବିଧାୟକ ଭାବେ ଶାଳୀନତାର ସୀମାକୁ ମଧ୍ୟ ଉଲ୍ଲଘନ କରିଛନ୍ତି । ବିଧାୟକଙ୍କ ଏପରି ସାନ୍ତାଳୀ ଭାଷା ଓ ଲିପି ବିରୋଧି ମନ୍ତବ୍ୟକୁ ଦୃଢ ନିନ୍ଦା କରୁଛି ଓ ଦାବୀ କରୁଛି – ସର୍ବସାଧାରଣରେ ଏପରି ମନ୍ତବ୍ୟ ପାଇଁ କ୍ଷମା ଭିକ୍ଷା କରନ୍ତୁ । ସାନ୍ତାଳୀଭାଷା ଭାରତର ୧୭ ତମ ସର୍ବବୃହତ ଭାଷା ଓ ବିଶ୍ଵର ୧୮୩ତମ ସର୍ବବୃହତ ଭାଷା । ସାନ୍ତାଳୀ ଭାଷାଭାଷୀଙ୍କ ସଂଖ୍ୟା ଭାରତରେ ପ୍ରାୟ ୧କୋଟି । ସାନ୍ତାଳୀ ସଂପ୍ରଦାୟ ହେଉଛି ଭୀଲ୍ ଓ ଗଣ୍ଡପରେ ତୃତୀୟ ସର୍ବବୃହତ୍‌ ଆଦିବାସୀ ଗୋଷ୍ଠି । ଅନ୍ୟପକ୍ଷରେ ୱକିପିଡ଼ିଆରେ ମଧ୍ୟ ସାନ୍ତାଳୀ ଯାହାକି ଅଲଚିକି ଲିପିରେ ଲେଖାଯାଇଛି – ୩୦୧ତମ ଭାଷାଭାବରେ ସ୍ଵୀକୃତି ଲାଭ କରିସାରିଛି । ସି.ପି. ସିଂ ମହୋଦୟଙ୍କର ଆମ ଭାଷା ପ୍ରତି ରୁଚି ଥାଇ ନପାରେ କିନ୍ତୁ ଜଣେ ବିଧାୟକ ଭାବରେ ତାଚ୍ଛଲ୍ୟକରି ଉପହାସ କରି ଅନ୍ୟ ଭାଷା ପ୍ରତି ମନ୍ତବ୍ୟ ଦେବାର କୈଣସି ନୈତିକ ଅଧିକାର ନାହିଁ । ନିର୍ବାଚିତ ଜନପ୍ରତିନିଧି ଭାବେ ଗୋଟିଏ ଭାଷାର ବିକାଶ ପାଇଁ ଏକ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିବା ପରିବର୍ତ୍ତେ ଏକ ପ୍ରତିବନ୍ଧକ ଭାବେ ଦଣ୍ଡାୟମାନ ହେବା କେତେକ ଯଥାର୍ଥ ଏହା ସଂପ୍ରତି ବିତର୍କର ବିଷୟ ।

Leave a Reply

Your email address will not be published. Required fields are marked *