ବାରିପଦା – ତା :- 21/02/2023 ରିଖ ସ୍ଥାନୀୟ ମଧୁବନ ବଗିଚା ସାହି ସ୍ଥିତ ବାସଭବନରେ ଆଜି ସକାଳ 6 ଟା 30 ମିନିଟରେ ବାରିପଦା ଫଳ ମାର୍କେଟ ମହାବୀର ହନୁମାନ ମନ୍ଦିରର ଅନ୍ୟତମ ପ୍ରତିଷ୍ଠାତା ସଦସ୍ୟ ତଥା ମହାବୀର ଆଖଡ଼ା ଗୁରୁ ଧୃବେନ୍ଦ୍ର ଦାସ 83 ବର୍ଷ ବୟସରେ ଇହଧାମ ତ୍ୟାଗ କରିଛନ୍ତି I ଜିଲ୍ଲା ଦେବୋତ୍ତର ବିଭାଗ ଦ୍ୱାରା ନିୟୋଜିତ ହୋଇ ସେ ମା ଅମ୍ବିକାଙ୍କ ଦାସୀ ଭାବେ ନିଜ ସେବା ପ୍ରଦାନ କରି ଚାଲିଥିଲେ I ଜଣେ ମିଷ୍ଟଭାଷୀ ସରଳ ବ୍ୟକ୍ତିତ୍ୱ ଭାବେ ସେ ବେଶ ପରିଚିତ ଥିଲେ I ଜୀବନର ଶେଷ ସମୟ ପର୍ଯ୍ୟନ୍ତ ମା ଅମ୍ବିକାଙ୍କ ଦାସୀ ଭାବେ ରଥଯାତ୍ରା ସମୟରେ ଅମ୍ବିକା ମନ୍ଦିରରୁ ଆଜ୍ଞା ମାଳ ଆଣି ସେ ତିନି ରଥ ପ୍ରଦକ୍ଷିଣ କରି ରଥ ପ୍ରତିଷ୍ଠା ସମୟରେ ନିଜର ଦେବ ସେବା କାର୍ଯ୍ୟ ସମ୍ପାଦିତ କଲାପରେ ଶ୍ରୀଜୀଉ ମାନଙ୍କର ପହଣ୍ଡି କାର୍ଯ୍ୟ ଆରମ୍ଭ ହେଉଥିଲା I ତତସହିତ ଚୈତ୍ରପର୍ବ ସମୟରେ ଦାସୀଭାବେ ଭକ୍ତାକାର୍ଯ୍ୟ ସମ୍ପାଦନ କରି ନିଶାଘଟ ନେଇ ଛଉ ନୃତ୍ୟ ମଣ୍ଡପକୁ ଯାଇ ମୁଖ୍ୟ ଦେବସେବାର ପରମ୍ପରାରେ ନିଜକୁ ନିୟୋଜିତ କରୁଥିଲେ I ତାଙ୍କ ବିୟୋଗରେ ସ୍ଥାନୀୟ ବାସିନ୍ଦା, ମହାବୀର ଆଖଡ଼ା ଶିଷ୍ୟ, ଜଗନ୍ନାଥ ପ୍ରେମୀ ତଥା ସେବକ ମାନଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି I ମୃତ୍ୟୁ ସମୟରେ ତାଙ୍କର ପୁଅ, ଝିଅ, ପୁତୁରା, ଝିଆରୀ ତଥା ଅନେକ ବନ୍ଧୁବାନ୍ଧବ ଉପସ୍ଥିତ ଥିଲେ I ତାଙ୍କ ବିୟୋଗରେ ଜଗନ୍ନାଥ ସେବା, ରାଜପରିବାର ପରମ୍ପରା ସହିତ ଜଡିତ ଧର୍ମାନୁଷ୍ଠାନ ସମ୍ପାଦନ କ୍ଷେତ୍ରରେ ଏକ ଅପୂରଣୀୟ କ୍ଷତି ଘଟିଛି I ବାରୁଣୀ ଘାଟରେ ତାଙ୍କର ଶେଷ କୃତ୍ୟ ସମ୍ପନ୍ନ ହୋଇଛି I ବଡ ପୁଅ ଅଜୟ କୁମାର ଦାସ ମୁଖାଗ୍ନି ଦେଇଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ପୁତୁରା ମୟୁରଭଞ୍ଜ ଏଥଲେଟିକ ଏସୋସିଏସନର ସମ୍ପାଦକ ବିଜୟ କୁମାର ଦାସ, ପ୍ରୋ ରାଜେନ୍ଦ୍ର ଦାସ, 7 ନଂ ୱାର୍ଡ କାଉନସିଲର ପ୍ରଶାନ୍ତ ବେହେରା ପୂର୍ବତନ କାଉନସିଲର ପ୍ରଦୋଷ ଦାସ ପ୍ରମୁଖ ଉପସ୍ଥିତ ଥିଲେ I