ବାରିପଦା: ୦୫.୦୧.୨୦୨୬//
ଜିଲ୍ଲା ସ୍ତରୀୟ ୭୭ତମ ସାଧାରଣତନ୍ତ୍ର ଦିବସ ପାଳନ ନିମନ୍ତେ ଆଜି ଅପରାହ୍ନରେ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷ ଠାରେ ଅତିରିକ୍ତ ଜିଲ୍ଲାପାଳ ଦୁଖବନ୍ଧୁ ନାୟକଙ୍କ ଅଧ୍ୟକ୍ଷତା ରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଅନ୍ୟ ମାନଙ୍କ ମଧ୍ୟରେ ସହକାରୀ ଜିଲ୍ଲା ଶିକ୍ଷାଧିକାରୀ ଶଶୀଧର ସିଂହ, ରିଜର୍ଭ ପୋଲିସ ଇନ୍ସ୍ପେକଟର ଆଲୋକ କୁମାର କାନୁନଗୋ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବିକାଶ ରଞ୍ଜନ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ।
ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ଏହି ଜାତୀୟ ଦିବସକୁ ଆନନ୍ଦ,ଉଲ୍ଲାସ ଓ ଶୃଙ୍ଖଳାର ସହ ପାଳନ କରିବା ସହ ପ୍ରତ୍ୟେକ ବିଭାଗ ସେମାନଙ୍କ ଦାୟିତ୍ବ ସୁଚାରୁରୂପେ ନିର୍ବାହ ପାଇଁ ସେ ପରାମର୍ଶ ଦେଇଥିଲେ।

ଉକ୍ତ ବୈଠକରେ ଚଳିତ ବର୍ଷ ସାଧାରଣତନ୍ତ୍ର ଦିବସ -୨୦୨୬ ଜାତୀୟ ଉତ୍ସବ ପାଳନ ଉପଲକ୍ଷେ ଆୟୋଜିତ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସବିଶେଷ ଆଲୋଚନା କରାଯିବା ସହ ଏହି ଜାତୀୟ ଉତ୍ସବ କୁ ସମ୍ମାନ ଓ ମର୍ଯ୍ୟlଦା ର ସହିତ ଜାତୀୟତାବୋଧ ବଜାୟ ରଖି ଜିଲ୍ଲା ସ୍ତରୀୟ ଉତ୍ସବ ପାଳନରେ ସମସ୍ତ ଶିକ୍ଷାନୁଷ୍ଠାନ, ସରକାରୀ ବିଭାଗ, ସ୍ଵେଚ୍ଛାସେବି ସଂଗଠନ, ସର୍ବପରି ଜନସାଧାରଣ ବିପୁଳ ସଂଖ୍ୟାରେ ଯୋଗଦାନ କରି ଉତ୍ସବକୁ ସାଫଲ୍ୟ ମଣ୍ଡିତ କରିବା ପାଇଁ ସମସ୍ତଙ୍କ ସହଯୋଗ କାମନା କରାଯାଇଥିଲା।

ବିସ୍ତୃତ ଆଲୋଚନାରେ ନିଷ୍ପତ୍ତି କ୍ରମେ ସ୍ଥାନୀୟ ରିଜର୍ଭ ପୋଲିସ ପଡିଆ ଠାରେ ୨୬ ଜାନୁଆରୀରେ ସାଧାରଣତନ୍ତ୍ର ଦିବସର ମୁଖ୍ୟ ଅତିଥି ପୂର୍ବାହ୍ନ ୮.୩୦ ମିନିଟ ସମୟରେ ଜାତୀୟ ପତାକା ଉତ୍ତୋଳନ କରିବା ସହ ପ୍ୟାରେଡ଼ରେ ଅଭିବାଦନ ଗ୍ରହଣ ଓ ଉଦବୋଧନ ଦେବେ ।ଏହା ପରେ ପଡିଆରେ ସାଂସ୍କୃତିକ କାର୍ଯ୍ୟକ୍ରମ , ପୁରସ୍କାର ବିତରଣ,ପ୍ରଜ୍ଞାପନ ମେଢ଼ ପ୍ରଦର୍ଶନ କରାଯିବ। ଦିବସ ପାଳନ ଅବସରରେ ମୁଖ୍ୟ ଅତିଥି ଉତ୍କଳ ବାଳାଶ୍ରମର ଅନ୍ତେବାସୀଙ୍କୁ ମିଷ୍ଟାନ୍ନ ବଣ୍ଟନ, ଭିନ୍ନକ୍ଷମ ବିଦ୍ୟାଳୟରେ ମିଷ୍ଟାନ୍ନ ବଣ୍ଟନ, ମୁଖ୍ୟ ଚିକିତ୍ସାଳୟରେ ଫଳ ବଣ୍ଟନ ପରେ ରକ୍ତ ଦାନ ଶିବିରରେ ଯୋଗ ଦେବେ।

ବୈଠକରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ,ମୟୂରଭଞ୍ଜ ଜିଲ୍ଲା ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ର କାର୍ଯ୍ୟସୂଚୀ ଉପସ୍ଥାପନ କରିଥିଲେ। ସବିଶେଷ ଆଲୋଚନା ପରେ, ପୂର୍ବବର୍ଷର ସମସ୍ତ କାର୍ଯ୍ୟ ବିବରଣୀ ଦ୍ୱାରା ଏ ବର୍ଷର କାର୍ଯ୍ୟକ୍ରମ ମାନ ସ୍ଥିରୀକୃତ ହୋଇ ସର୍ବ ସମ୍ମତି କ୍ରମେ ନିଷ୍ପତ୍ତି ନିଆଗଲା। ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟରେ, ରାମଧୂନ, ପ୍ରଭାତଫେରୀ ଜାତୀୟ ପତାକା ଉତ୍ତୋଳନ ଓ ମୁଖ୍ୟ ଅତିଥିଙ୍କ ଅଭିବାଦନ ଗ୍ରହଣ, ବହୁ ଭାଷା କବି ସମ୍ମିଳନୀ, ଫଳ-ବିସ୍କୁଟ /ମିଷ୍ଠାନ୍ନ ବଣ୍ଟନ, ପୁରସ୍କାର ବିତରଣୀ ଉତ୍ସବ ଏବଂ ଅନ୍ୟାନ୍ୟ ଆନୁସଙ୍ଗିକ ପ୍ରସ୍ତୁତି କାର୍ଯ୍ୟକ୍ରମ ବିଷୟରେ ଅତିରିକ୍ତ ଜିଲ୍ଲାପାଳ ଆଲୋଚନା କରି ସମସ୍ତ ବିଭାଗୀୟ କର୍ମଚାରୀଙ୍କୁ ଯଥାରୀତି ଦାୟିତ୍ୱ ନେବା ବିଷୟରେ ଅବଗତ କରାଇଥିଲେ।

ଅଭ୍ୟାସ ପ୍ୟାରେଡ ଚଳିତ ମାସ ୨୧, ୨୨ ଓ ୨୪ ତାରିଖ ପୂର୍ବାହ୍ନ ୭:୩୦ ଘଟିକା ରେ ରିଜର୍ଭ ପୋଲିସ ପଡିଆ ଠାରେ ଅନୁଷ୍ଠିତ ହେବ। ପ୍ୟାରେଡ଼ ପଡିଆ ସଜ୍ଜା, ବ୍ୟାରିକେଡ ନିର୍ମାଣ, ଶାନ୍ତି ଶୃଙ୍ଖଳା ରକ୍ଷା, ପରିଷ୍କାର ପରିଛନ୍ନତା, ପାନୀୟ ଜଳ ଯୋଗାଣ, ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିର ଓ ଆମ୍ବୁଲାନ୍ସ ବ୍ୟବସ୍ଥା, ଅଗ୍ନି ନିର୍ବାପକ ବ୍ୟବସ୍ଥା,ଉତ୍ସବ ମଞ୍ଚକୁ ଫୁଲ କୁଣ୍ଡରେ ସଜେଇବା ବ୍ୟବସ୍ଥା ଇତ୍ୟାଦି ସମ୍ପର୍କରେ ଆଲୋଚନା କରାଯାଇ ବିଭାଗୀୟ ଅଧିକାରୀ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ପରାମର୍ଶ ଦିଆଗଲା।

ବୈଠକରେ ଡି.ଏସ.ପି., ଡି.ଆଇ.ବି., କନିଷ୍ଟ ଯନ୍ତ୍ରୀ, ପୂର୍ତ୍ତ (ରାସ୍ତା ଓ ଗୃହ), ଜିଲ୍ଲା କ୍ରୀଡା ଅଧିକାରୀ, ଜିଲ୍ଲା କ୍ରୀଡା ଶିକ୍ଷା ଧିକାରୀ, ଡେପୁଟି ଡାଇରେକ୍ଟର ଉଦ୍ୟାନ କୃଷି, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରିଣୀ,ୱାଟକୋ ସାଧାରଣ ପରିଚାଳକ, ସହକାରୀ ଅଗ୍ନିଶମ ଅଧିକାରୀ ପ୍ରମୁଖଙ୍କ ସମେତ ଜିଲ୍ଲାସ୍ତରୀୟ ବିଭିନ୍ନ ବିଭାଗୀୟ ପଦାଧିକାରୀ, ଶିକ୍ଷାନୁଷ୍ଠାନର ମୁଖ୍ୟ ତଥା ଶିକ୍ଷକ ଶିକ୍ଷୟତ୍ରୀ , ଅଧ୍ୟାପକ ଅଧ୍ୟାପିକା ,ସ୍ଵେଚ୍ଛାସେବି ଅନୁଷ୍ଠାନ ର କର୍ମକର୍ତ୍ତା, ବରିଷ୍ଠ ନାଗରିକ,ଗଣମାଧ୍ୟମ ର ପ୍ରତିନିଧି ମାନେ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରି ମତପୋଷଣ କରିଥିଲେ।

Leave a Reply

Your email address will not be published. Required fields are marked *