ବାରିପଦା: ତା -24/12/2025-ମୟୂରଭଞ୍ଜ ଜିଲ୍ଲା ସଦରମହକୁମା ବାରିପଦାସ୍ଥିତ ପାଲବଣୀଠାରେ ନିର୍ମାଣ ହେବ ଆନ୍ତଃରାଜ୍ୟ ବସ୍ ଟର୍ମିନାଲ୍ ବା ଆଇଏସ୍ବିଟି । ଲୋକ ମାନଙ୍କ ଦୀର୍ଘ ଦିନର ଆଶାକୁ ପୂରଣ କରିବା ପାଇଁ ଜିଲ୍ଲା ପ୍ରଶାସନ ତତ୍ପର ହୋଇଛି । ଗମନାଗମନ ଦୃଷ୍ଟିରୁ ଏହି ସ୍ଥାନରେ ବସ୍ ଟର୍ମିନାଲ୍ ନିର୍ମାଣ ହେଲେ ଏହା ଜିଲ୍ଲାର ଜନସାଧାରଣଙ୍କ ବେଶ୍ ଉପଯୋଗୀ ହୋଇପାରିବ । ପ୍ରସ୍ତାବିତ କ୍ରୁଟ୍ ବସଷ୍ଟାଣ୍ଡ ସହ ମଧ୍ୟ ଏହା ଲାଗିକରି ରହିଛି । ସେହିପରି ବାରିପଦା ରେଳଷ୍ଟେସନ ମଧ୍ୟ ଅଳ୍ପ ଦୂରତାରେ ରହିଛି । ଏହା ସହ ପ୍ରସ୍ତାବିତ ବୁଢାବଳଙ୍ଗ ତଟବର୍ତ୍ତୀ ରିଙ୍ଗ ରୋଡ ମଧ୍ୟ ସହଜରେ ସଂଯୋଗ ହୋଇପାରିବ । ଯାହାଫଳରେ ଭବିଷ୍ୟତ ପାଇଁ ଏହା ଏକ ଉତ୍ତମ ଅର୍ଥନୈତିକ ହବ୍ ରେ ପରିଣତ ହୋଇପାରିବ । ଏଠାରେ ଉଲ୍ଲେଖଥାଉକି, ପୂର୍ବରୁ ବସ୍ ଟର୍ମିନାଲ୍ ନିର୍ମାଣ ପାଇଁ ଆବଶ୍ୟକ ଜମି ଚିହ୍ନଟ ପ୍ରକ୍ରିୟାରେ ୬ଗୋଟି ସ୍ଥାନକୁ ପ୍ରଶାସନ ତରଫରୁ ଅନୁଧ୍ୟାନ କରାଯାଇଥିଲା । ମାତ୍ର ବିଭିନ୍ନ ସମସ୍ୟା ଯେପରିକି ବୈଷୟିକ ସମ୍ଭାଵ୍ୟତା ସମସ୍ୟା , ଯାତାୟତ ସଂକୀର୍ଣ୍ଣତା, ଜିଲ୍ଲା ସଦରମହକୁମାରୁ ମାତ୍ରାଧିକ ଦୂରତା, ଜଙ୍ଗଲ ଜମି ସମସ୍ୟା, ନିମ୍ନ ରେଖା ଜମି ସମସ୍ୟା,ଏପରୋଚ ରୋଡ଼ ସମସ୍ୟା ଇତ୍ୟାଦି ଯୋଗୁଁ ଉପଯୁକ୍ତ ସ୍ଥାନ ନ ମିଳିବାରୁ ଏହା ସାକାର ହୋଇ ପାରୁନଥିଲା । ସେହିପରି ପାଲବଣୀ ନିକସ୍ତସ୍ଥ ଅନ୍ୟ ଏକ ଜମିରେ ବହୁ ପୁରାତନ ଫଳ ଗଛମାନ ଥିବାରୁ ରାଜସ୍ଵ ହାନି ହେଵା ଆଶଙ୍କାରେ ଉକ୍ତ ସ୍ଥାନକୁ ମଧ୍ୟ ବାଦ ଦିଆ ଗଲା । ତେଣୁ ଜିଲ୍ଲା ପ୍ରଶାସନ, ରାଜସ୍ଵ ବିଭାଗ , ରାଜ୍ୟ ପରିବହନ କତୃପକ୍ଷ ଓ ବନ ବିଭାଗର ପଦାଧିକାରୀଙ୍କ ମିଳିତ ଟିମ ସମସ୍ତ ବିଷୟକୁ ବ୍ୟାପକ ଭାବେ ଅନୁଧ୍ୟାନ କରି କୌଣସି ଉପାୟ ନ ପାଇ ଶେଷରେ ପାଲବଣୀଠାରେ ଏହି ସ୍ଥାନକୁ ଚୂଡାନ୍ତ କରିଛି । ଏଠାରେ ବସ୍ ଟର୍ମିନାଲ ନିର୍ମାଣ ହେଲେ ଏହା ସିଧାସଳଖ ଜାତୀୟ ରାଜପଥ ସହିତ ଯୋଡ଼ି ହେବ । ଯାହା ଫଳରେ କୌଣସି ଯାତ୍ରୀ ବାହୀ ବସ୍ ତଥା ଏହି ବର୍ଗର ଯାନବାହାନ ପୂର୍ବଭଳି ସହର ମଧ୍ୟ ଦେଇ ପ୍ରବେଶ ନକରି ସିଧାସଳଖ ବାଇପାସ୍ ରାସ୍ତାରେ ବସଷ୍ଟାଣ୍ଡକୁ ଯାଇପାରିବ । ସମସାମୟିକ ଭାବେ ବାରିପଦା ସହରର କଳେବର ମଧ୍ୟ ଲଗାତାର ବୃଦ୍ଧି ହୋଇ ଚାଲିଛି । ଏହାଯୋଗୁଁ ସହରରେ ମାତ୍ରାଧିକ ଟ୍ରାଫିକ୍ ସମସ୍ୟା ଉପୁଯିବା ସହିତ ଦୀର୍ଘଟଣା ଘଟୁଛି। ଏଠାରେ ବସ୍ ଟର୍ମିନାଲ ନିର୍ମାଣ ହେଲେ ଉକ୍ତ ସମସ୍ୟାର ସ୍ଥାୟୀ ସମାଧାନ ହେବା ସହ ଭବିଷ୍ୟତରେ ଯେପରି ଟ୍ରାଫିକ୍ ସମସ୍ୟା ନଉପୁଜିବ, ତାହାକୁ ସୁନିଶ୍ଚିତ କରାଯାଇଛି । ଏହାସହ ଉକ୍ତ ବସ ଟର୍ମିନାଲଟି ସମ୍ପୂର୍ଣ୍ଣ ପରିବେଶ ଅନୁକୂଳ ହେବା ଉପରେ ଗୁରୁତ୍ୱ ଦିଆଯାଇଛି । ଏହାର ଚାରି ପାର୍ଶ୍ଵରେ ବ୍ୟାପକ ବୃକ୍ଷ ରୋପଣ ସହ ସୌରଶକ୍ତି ବ୍ୟବହାର କରି ନବୀକରଣ ଯୋଗ୍ୟ ଶକ୍ତି ଚାଳିତ ବସ୍ ଟର୍ମିନାଲରେ ପରିଣତ କରିବାକୁ ଧ୍ୟାନ ଦିଆଯାଉଛି । ଯାହା ଫଳରେ ବସ୍ ଟର୍ମିନାଲ ନିର୍ମାଣ ପାଇଁ ଅଳ୍ପ କିଛି ଗଛ କଟାଯାଇ ଥିବାର କ୍ଷତିକୁ ଅନେକାଂଶରେ ପୂରଣ କରାଯାଇପାରିବ । ଏଥିପାଇଁ କଟାଯାଇଥିବା ଗଛର ଦୁଇ ଗୁଣାରୁ ଉର୍ଦ୍ଧ୍ୱ ଗଛ ରୋପଣ କରିବାକୁ ବନବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଇଛି । ଏତଦ ବ୍ୟତୀତ ପ୍ରଶାସନ ତରଫରୁ ଖାଲି ଜମି ଚି଼ହ୍ନଟ କରାଯାଇ ପ୍ରତି ବର୍ଷ ଲକ୍ଷ ଲକ୍ଷ ବୃକ୍ଷ ରୋପଣ କରାଯାଉଛି।
ପ୍ରକାଶ ଥାଉକି, ବିଭିନ୍ନ ପ୍ରକାର ସମସ୍ୟାର ସମାଧାନ ପାଇଁ ଲୋକମାନେ ପ୍ରଶାସନ ଉପରେ ଆଶା ଓ ଭରଷା ରଖିଥାନ୍ତି। ମୟୂରଭଞ୍ଜ ଜିଲ୍ଲାର ପ୍ରାୟତଃ ଅଧିକାଂଶ ଜମି ଜଙ୍ଗଲ ଜମି ଅନ୍ତର୍ଭୁକ୍ତ ହୋଇଥିବାରୁ ଯେ କୌଣସି ଉନ୍ନତି ମୂଳକ ପ୍ରକଳ୍ପ କାର୍ଯ୍ୟକାରିତା ପାଇଁ ଜମି ଗୋଟିଏ ମୁଖ୍ୟ ସମସ୍ୟା ଦେଖାଦେଇଥାଏ। ମାତ୍ର ଅତ୍ୟନ୍ତ ଆବଶ୍ୟକତା ନଥିଲେ ଜିଲ୍ଲା ପ୍ରଶାସନ ତରଫରୁ ବିନା କାରଣରେ କେବେବି ସିଧାସଳଖ ଗଛ କଟାଯାଉନାହିଁ କିମ୍ବା ଗଛ କଟାକୁ ପ୍ରୋତ୍ସାହିତ କରାଯାଉ ନାହିଁ। ବିକାଶ କାର୍ଯ୍ୟରେ ଯେତେବେଳେ ପ୍ରଶାସନ ଦ୍ବିବିଧାର ସମ୍ମୁଖୀନ ହୁଏ ଏବଂ ଅନ୍ୟ ଉପାୟ ନମିଳେ, ସେତେବେଳେ ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ଜଙ୍ଗଲ ସଂରକ୍ଷଣ ସହ ସମନ୍ୱୟ ରକ୍ଷା କରିବା ସହିତ ସମସ୍ତ ନିୟମକୁ ଅନୁପାଳନ କରି କ୍ଵଚିତ ସଂଖ୍ୟକ ଗଛ କଟାଯାଇ କାର୍ଯ୍ୟ କରିବାକୁ ପଡିଥାଏ। ତେବେ ଏହି ବସ୍ ଟର୍ମିନାଲଟି ସମ୍ପୂର୍ଣ୍ଣ ରୂପ ପାଇ ସାରିବା ପରେ ନିଶ୍ଚିତ ଭାବରେ ଏହା ସମଗ୍ର ଦେଶରେ ଏହାର ପରିବେଶ ଅନୁକୂଳତା ପାଇଁ ରୋଲ୍ ମଡେଲ ହୋଇପାରିବ ଏବଂ ବିକଶିତ ବାରିପଦାର ମୁଖଶାଳା ହେବ ବୋଲି ଆଶା କରାଯାଉଛି ।
ତେଣୁ ଏହି ଉନ୍ନତି ମୂଳକ କାର୍ଯ୍ୟ ପାଇଁ ଜିଲ୍ଲା ପ୍ରଶାସନ ସମସ୍ତଙ୍କ ସହଯୋଗ କାମନା କରୁଛି ବୋଲି ଏକ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ସୂଚନା ମିଳିଥିବା ବେଳେ, ପୂର୍ବରୁ ବାରିପଦା ପୌରପରିଷଦ ଅନ୍ତର୍ଗତ ବିଭିନ୍ନ ଉନ୍ନୟନ ନାମରେ ଗଛ କଟାଯାଇଥିବା ବେଳେ, ଏଗୁଡିକ ପାଇଁ କେଉଁଠାରେ ଗଛ ଲଗାଯାଇଥିବା ର କୌଣସି ଉତ୍ତର ରଖି ନାହିଁ ମୟୁରଭଞ୍ଜ ଜିଲ୍ଲା ପ୍ରଶାସନ l
