ବାରିପଦା, (୧୫/୧୨):
ଦ୍ୱାରଶୁଣୀ ଘାଟି ମଧ୍ୟ ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥର ସଂପ୍ରସାରଣ କାର୍ଯ୍ୟ ପାଇଁ ଲାଗିଛି କଟକଣା । ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ ନିମନ୍ତେ ଆବଶ୍ୟକ ହେଉଥିବା ପଥର ବିସ୍ଫୋରଣ କାର୍ଯ୍ୟ ପାଇଁ ସତର୍କତା ପଦକ୍ଷେପ ସ୍ଵରୁପ ଜିଲ୍ଳା ପ୍ରଶାସନ ପକ୍ଷରୁ ଏହି ଆଦେଶ ଜାରି କରାଯାଇଛି । ପ୍ରତ୍ୟେକ ସପ୍ତାହରେ କେବଳ ଗୁରୁବାର ଓ ଶୁକ୍ରବାର ଦିନ ୧ଟା ରୁ ସନ୍ଧ୍ୟା ୪ଟା ପର୍ଯ୍ୟନ୍ତ ଏହି ରାସ୍ତା ମଧ୍ୟ ଦେଇ ଯିବାଆସିବା ବନ୍ଦ ରହିବ । ଏହି ନିଷେଧାଦେଶ ଆସନ୍ତା ୧୮-୧୨-୧୦୨୫ରୁ ଆରମ୍ଭ ହୋଇ ଆସନ୍ତା ବର୍ଷ ୨୦୨୬ ଫେବୃଆରୀ ୨୭ ତାରିଖ ପର୍ଯ୍ୟନ୍ତ ଜାରି ରହିବ । ଏହି ଦିନ ମାନଙ୍କରେ ଦ୍ଵାରଶୁଣୀ ଘାଟିକୁ ଯୋଡୁଥିବା ଉଭୟ ବାଙ୍ଗିରିପୋଷି ଓ ବିଶୋଇ ପାର୍ଶ୍ଵରେ ଥିବା ପ୍ରବେଶ ପଥ ବନ୍ଦ ରହିବ । ଯେକୌଣସି ଯାନବାହାନ(ଦୁଇ ଚକିଆରୁ ଉର୍ଦ୍ଧ୍ୱ ସମସ୍ତ ଯାନ) ଓ ପଥଚାରୀ ଏହି ସମୟରେ ଯାତାୟାତ କରି ପାରିବେ ନାହିଁ । ଏହାସହ ଘାଟୀ ଆଖପାଖରେ ଗାଇଛେଳି ଚାରଣ କରାଇବା ମଧ୍ୟ ବାରଣ କରାଯାଇଛି । ସେହିପରି ଆମ୍ବୁଲାନ୍ସ ଓ ଦମକଳବାହିନୀ ଯାନ ତଥା ବିଭିନ୍ନ ଜରୁରୀକାଳୀନ ଯାନ ରାସ୍ତା ନିର୍ମାଣକାରୀ ସଂସ୍ଥା ଓ ଅନ୍ୟ ବିଭାଗୀୟ ଅଧିକାରୀଙ୍କ ପାଖରୁ ଅନୁମତି ମିଳିବା ପରେ ହିଁ ଯାତାୟତ କରିପାରିବେ । କିନ୍ତୁ ସାଧାରଣ ଲୋକଙ୍କ ଯାନ ତଥା ପରିବହନକାରୀ ଯାନ କଟକଣା ସମୟରେ ଉପଯୁକ୍ତ ପାର୍କିଂ ସ୍ଥାନରେ ରହି ଅପେକ୍ଷା କରିବାକୁ ପଡିବ । କଟକଣା ସମାପ୍ତ ହେବା ପରେ ପ୍ରାଥମିକତା ଭିତ୍ତିରେ ପ୍ରଥମେ ସାଧାରଣ ଲୋକଙ୍କ ଯାନକୁ ଯାତାୟତ ପାଇଁ ଛଡାଯିବ । ତେବେ କ୍ଷୁଦ୍ର ଯାନ ବ୍ୟବହାରକାରୀ ସାଧାରଣ ଲୋକ ସୁଗମ ଯାତାୟାତ ପାଇଁ ବ୍ୟବସ୍ଥା ଅନୁଯାୟୀ ବିଶୋଇ -ଅର୍ଗଳବିନ୍ଦା-ଶଙ୍ଖାଭଙ୍ଗା-ଯୋକା-ଚନ୍ଦନପୁର-କତରା ଛକକୁ ବିକଳ୍ପ ରାସ୍ତା ଭାବରେ ବ୍ୟବହାର କରିପାରିବେ । ଯେକୌଣସି ଅପ୍ରିତିକର ପରିସ୍ଥିତିର ମୁକାବିଲା ପାଇଁ ବ୍ୟାପକ ପୋଲିସ ମୁତୟନ କରିବାକୁ ବିଶୋଇ ଓ ବାଙ୍ଗିରିପୋଷି ଥାନାକୁ ଜିଲ୍ଲା ପ୍ରଶାସନ ତରଫରୁ ଅବଗତ କରାଯାଇଛି ।
