ବାରିପଦା, (୧୩/୧୨):
ମୟୂରଭଞ୍ଜ ଜିଲ୍ଲା କୁଳିଅଣା ବ୍ଲକସ୍ଥିତ ଅନ୍ଧାରୀ ଗ୍ରାମର ଅବସରପ୍ରାପ୍ତ ସେନାଧିକାରୀ ସୁବେଦାର ମେଜର ମୋହନ ମାରାଣ୍ଡିଙ୍କ ଚିକିତ୍ସାଧିନ ଅବସ୍ଥାରେ ଦେହାନ୍ତ ଘଟିଛି । ଅନ୍ତିମ ଯାତ୍ରାରେ ଜିଲ୍ଲା ଅବସରପ୍ରାପ୍ତ ସୈନବାହିନୀ ସଂଘ ମୟୂରଭଞ୍ଜ ଜିଲ୍ଲା ପୂର୍ବତନ ସେବା ଲିଗର କର୍ମକର୍ତ୍ତା ସାମିଲ ହୋଇ ମେଜର ମାରାଣ୍ଡିଙ୍କ ପାର୍ଥିବ ଶରୀରକୁ ରାଷ୍ଟ୍ରୀୟପତାକା ତ୍ରିରଙ୍ଗାରେ ଆବୃତ ପୂର୍ବକ ପୁଷ୍ପ ପ୍ରଦାନ କରି ସମ୍ମାନ ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଉଲ୍ଲେଖଯୋଗ୍ୟ ଯେ, ପୂର୍ବତନ ମେଜର ମାରାଣ୍ଡି ଆର୍ମି ଓଡିନାନ୍ସ କର୍ପ୍ସରେ କାର୍ଯ୍ୟରତ ଥିଲେ । ମେଜର ମାରାଣ୍ଡିଙ୍କ ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କ ଦୁଇ ଝିଅ ଓ ଜଣେ ପୁଅ ଥିଲେ। ମେଜର ମାରାଣ୍ଡିଙ୍କ ମୃତ୍ୟୁ ଖବର ଶୁଣି ତା’ଙ୍କ ନିଜ ଗ୍ରାମ ତଥା ଆଖପାଖ ଅଂଚଳର ବନ୍ଧୁ ପରିଜନ ମାନେ ଉପସ୍ଥିତ ହୋଇ ତାଙ୍କ ପାର୍ଥିବ ଶରୀରର ଶେଷ ଦର୍ଶନ କରିଥିଲେ । ତା’ଙ୍କ ମୃତ୍ୟୁରେ ଗ୍ରାମରେ ଗଭୀର ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।
ଆଜି କୁଳିଅଣା ଠାରେ ତାଙ୍କର ପାର୍ଥିବ ଶରୀରର ଅନ୍ତିମ ସଂସ୍କାର ସମ୍ପନ୍ନ ହୋଇଛି। ତାଙ୍କର ଏହି ଶେଷ କୃତ୍ୟ ସମୟରେ ମୟୁରଭଞ୍ଜ ଜିଲ୍ଲା ପୂର୍ବତନ ସୈନିକ ସଙ୍ଘର ସଭାପତି ଏଚ ଏଫ ଓ ଜନାର୍ଦ୍ଦନ ମହାନ୍ତ, ସାଧାରଣ ସମ୍ପାଦକ ସବ ମେଜର ପରମେଶ୍ୱର ମହାନ୍ତ, ଯୋଗାଯୋଗ ତଥା ଏଡିଆରଏଲ ସମ୍ପାଦକ ପୂର୍ଣ୍ଣ ଚନ୍ଦ୍ର ପାଣିଗ୍ରାହୀଙ୍କ ସମେତ ଅନ୍ୟାନ୍ୟ ୨୫ ଜଣ ଭେଟେରାନ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *