ବାରିପଦା:4/11/2025-
ମୟୁରଭଞ୍ଜ ଜିଲ୍ଲା ପ୍ରଶାସନ ତତ୍ୱାବଧାନରେ ଜିଲ୍ଲା ସାମାଜିକ ସୁରକ୍ଷା କାର୍ଯ୍ୟାଳୟ ଆନୁକୂଲ୍ୟରେ ଜିଲ୍ଲାରେ ଚଳିତ ବର୍ଷ ନଭେମ୍ବର ମାସ ୧୨ତାରିଖରୁ ଆଗାମୀ ଡିସେମ୍ବର ମାସ ୩୦ ତାରିଖ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟରେ ୧୪ ଗୋଟି ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର ଆୟୋଜିତ ହେବାକୁ ଯାଉଛି।
ଭୀମ ଭୋଇ ସାମର୍ଥ୍ୟ ଶିବିର ହେଉଛି ଭିନ୍ନକ୍ଷମ ବ୍ୟକ୍ତିଙ୍କ ପାଇଁ ସଶକ୍ତିକରଣ ଶିବିର ବା କାର୍ଯ୍ୟକ୍ରମ, ଯାହାର ଲକ୍ଷ୍ୟ ଭିନ୍ନକ୍ଷମ ଥିବା ବ୍ୟକ୍ତିମାନଙ୍କୁ ସେବା ପ୍ରଦାନ କରିବା। ଏହି ଶିବିର ଗୁଡ଼ିକରେ ପ୍ରମାଣପତ୍ର ପାଇଁ ଭିନ୍ନକ୍ଷମ ମାନଙ୍କ ମୂଲ୍ୟାଙ୍କନ, ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଏବଂ ବସ୍ ପାସ୍ ଭଳି ସୁବିଧା ସହିତ ଅନ୍ୟାନ୍ୟ ସହାୟତା ପ୍ରଦାନ କରାଯାଇଥାଏ। ଏହାର
ପ୍ରାଥମିକ ଲକ୍ଷ୍ୟ ହେଉଛି ଭିନ୍ନକ୍ଷମ ବ୍ୟକ୍ତିମାନଙ୍କୁ ଆବଶ୍ୟକୀୟ ଦସ୍ତାବିଜ (ଡକ୍ୟୁମେଣ୍ଟ) ଏବଂ ସୂଚନା ପ୍ରଦାନ କରି ସେମାନଙ୍କୁ ସଶକ୍ତ କରିବା। ଉକ୍ତ ଶିବିର ଗୁଡିକରେ ଡାକ୍ତରମାନଙ୍କ ଦ୍ୱାରା ଅକ୍ଷମତାର ପ୍ରତିଶତ ମୂଲ୍ୟାଙ୍କନ କରାଯାଇଥାଏ
, ତଦନୁସାରେ ହିତାଧିକାରୀ ମାନଙ୍କୁ ସେମାନଙ୍କ ପ୍ରମାଣ ପତ୍ର ପ୍ରଦାନ କରାଯାଏ। ଏତଦ ବ୍ୟତୀତ ଭିନ୍ନକ୍ଷମମାନଙ୍କ ପାଇଁ ଜାତୀୟ କ୍ୟାରିଅର ସେବା କେନ୍ଦ୍ର ଦ୍ୱାରା ପ୍ରଦାନ କରାଯାଇଥିବା ଦକ୍ଷତା ବିକାଶ କାର୍ଯ୍ୟକ୍ରମ ବିଷୟରେ ସୂଚନା ଦେବା ସହ ଅନ୍ୟାନ୍ୟ ପରାମର୍ଶ ପ୍ରଦାନ କରାଯାଇଥାଏ ଏବଂ ଯୋଗ୍ୟ ଭିନ୍ନକ୍ଷମ ହିତାଧିକାରୀ ମାନଙ୍କୁ ବସ୍ ପାସ୍ ମଧ୍ୟ ଯୋଗାଇ ଦିଆଯାଇଥାଏ।
ଜିଲ୍ଲାରେ ଆୟୋଜିତ ହେବାକୁ ଥିବା ଶିବିର କାର୍ଯ୍ୟସୂଚୀ ଅନୁଯାୟୀ ଚଳିତ ନଭେମ୍ବର ମାସର ୧୨ତାରିଖ ବିଶୋଇ ବ୍ଲକ କାର୍ଯ୍ୟାଳୟ ପରିସରରେ,୧୮ତାରିଖରେ ସରକାରୀ ଉଚ୍ଚ ବିଦ୍ୟାଳୟ, କରଞ୍ଜିଆଠାରେ,୨୧ ତାରିଖ ସରକାରୀ ଉଚ୍ଚ ବିଦ୍ୟାଳୟ ଉଦଳା ଠାରେ,୨୫ ତାରିଖ ମୋରଡା ବ୍ଲକ କାର୍ଯ୍ୟାଳୟ ପରିସରରେ, ୨୮ ତାରିଖ ଖୁଣ୍ଟା ବ୍ଲକ କାର୍ଯ୍ୟାଳୟ ପରିସରରେ,୨୯ ତାରିଖ ତିରିଂ ବ୍ଲକ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହେବ। ସେହିପରି ଡିସେମ୍ବର ମାସ ୪ ତାରିଖ କୁଳିଅଣା ବ୍ଲକ କାର୍ଯ୍ୟାଳୟ ପରିସରରେ, ୬ତାରିଖ ବିନୋଦ ରାୟ ବିଦ୍ୟାପୀଠ, ରାସଗୋବିନ୍ଦପୁରରେ, ୯ତାରିଖ ସରକାରୀ ଉଚ୍ଚ ବିଦ୍ୟାଳୟ ବହଳଦା ଠାରେ, ୧୬ ତାରିଖରେ ଏମ ପି ସି ଉଚ୍ଚ ବିଦ୍ୟାଳୟ ବେତନଟୀ ଠାରେ, ୧୭ ତାରିଖ ରରୁଆଁ ବ୍ଲକ କାର୍ଯ୍ୟାଳୟ ପରିସରରେ, ୧୯ ତାରିଖ ଗୋପବନ୍ଧୁନଗର ବ୍ଲକ କାର୍ଯ୍ୟାଳୟ ପରିସରରେ, ୨୩ ତାରିଖ ଜାମଦା ବ୍ଲକ କାର୍ଯ୍ୟାଳୟ ପରିସରରେ ଏବଂ ୩୦ ତାରିଖ ବିଜାତଳା ନୋଡାଲ ୟୁ ପି ସ୍କୁଲ ଠାରେ ଅନୁଷ୍ଠିତ ହେବ।
ତେଣୁ ହିତାଧିକାରୀ ମାନେ ଉକ୍ତ ଶିବିରର ସୁଯୋଗ ନେବା ପାଇଁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଉଛି।
