ବାରିପଦା -ତା୧୭/୧୦- ରାଷ୍ଟ୍ର ନିର୍ମାଣରେ ଅଗ୍ରଣି ଭୂମିକା ନେଉଥିବା ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କୁ ଉଦଳା ରୋଟାରି କ୍ଲବ ତରଫରୁ ପ୍ରତିବର୍ଷ ପରି ଚଳିତ ବର୍ଷ ସମ୍ବର୍ଦ୍ଧିତ କରାଯାଇଛି । ଏହି ଅବସରରେ ଆୟୋଜିତ ଉତ୍ସବରେ କ୍ଲବର ସଭାପତି ପୂର୍ଣ୍ଣଚନ୍ଦ୍ର ବିଶ୍ୱାଳ ଅଧ୍ୟକ୍ଷତା କରି ଦେଶ ଗଠନରେ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କର ଭୂମିକାକୁ କେବେ ଭୁଲି ହେବ ନାହିଁ ବୋଲି ବ୍ୟକ୍ତ କରିଥିଲେ । ଉଦଳା ଗୋଷ୍ଠୀ ଶିକ୍ଷା ଅଧିକାରୀ ଦୀପକ କୁମାର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରୋଟାରି କ୍ଲବର ଏତାଦୃଶ କାର୍ଯ୍ୟକଳାପକୁ ଭୂୟସୀ ପ୍ରଶଂସା କରିଥିଲେ । କ୍ଲବର ସଂପାଦକ ସୁଦର୍ଶନ ପ୍ରଧାନ ମଂଚ ପରିଚାଳନା ଦାୟିତ୍ୱ ତୁଲାଇବା ସହ ବଂଚିରହିବା ପାଇଁ ଖାଦ୍ୟ, ବସ୍ତ୍ର, ବାସଗୃହ ପରେ ଶିକ୍ଷା ଅତ୍ୟାବଶ୍ୟକ ଅଟେ ବୋଲି ବ୍ୟକ୍ତ କରିଥିଲେ । ଏହାପରେ କପ୍ତିପଦା ଉପଖଣ୍ଡର ବିଭିନ୍ନସ୍ଥାନରେ କାର୍ଯ୍ୟରତ କିଛି ଶିକ୍ଷକ/ ଶିକ୍ଷୟିତ୍ରୀଙ୍କୁ କ୍ଲବ ତରଫରୁ ମାନପତ୍ର, ଉତରୀୟ ଓ ପୁଷ୍ପଗୁଛ ଅର୍ପଣ ପୁର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ସମ୍ବର୍ଦ୍ଧିତ ଶିକ୍ଷକ/ଶିକ୍ଷୟିତ୍ରୀ ମାନେ ହେଲେ – ଅଜୟ କୁମାର ମହାନ୍ତ, ପ୍ରାଣକୃଷ୍ଣ ପୁଥାଳ, ବୁଧିଆ ପାତ୍ର, ଗୀତାଜଂଳି ପଣ୍ଡା, କମଳାକାନ୍ତ ବେହେରା, ବନ୍ଦିତା ବାରିକ, ଭାଗିରଥି ପରିଡ଼ା, ଦେବବ୍ରତ ବାରିକ, ମୃତ୍ୟୁଜଂୟ ମହାନ୍ତି, ଆଶୁତୋଷ ସାହୁ, ପ୍ରଫୁଲ କୁମାର ନାୟକ, ଶାନ୍ତନୁ କୁମାର ଦାଶ, ପ୍ରମୋଦା ସେନାପତି ଓ ମିନାକ୍ଷୀ ମିଶ୍ର । ରୋଟାରିଆନ ପୁର୍ଣ୍ଣଚନ୍ଦ୍ର ସାହୁ ପ୍ରାରମ୍ଭରେ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଦୁଳମଣି ପୁହାଣ କାର୍ଯ୍ୟକ୍ରମର ଶେଷ ସ୍ପର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ମନୋରଂଜନ ପାଢ଼ି, ଅଜୟ କୁମାର ବେହେରା, ବ୍ରହ୍ମାନନ୍ଦ ନାୟକ ପ୍ରମୁଖ ସହଯୋଗ କରିଥିଲେ ।
