ବାରିପଦା ତା୧୭/୧୦- ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ଓ ଉଚ୍ଚଶିକ୍ଷା ବିଭାଗର ନେତୃତ୍ୱରେ ଉଦଳାସ୍ଥିତ ଇନ୍ଦିରାଗାନ୍ଧୀ ମହିଳା ମହାବିଦ୍ୟାଳୟ ପରିସରରେ ‘ରାଷ୍ଟ୍ରୀୟ ପୋଷଣ ମାସ – ୨୦୨୫’ ପାଳିତ ହୋଇ ଯାଇଛି । ଏହି ଅବସରରେ ସାଧାରଣ ଲୋକଙ୍କ ନିକଟରେ ସଚେତନତାର ବାର୍ତା ପହଂଚାଇବା ସକାଶେ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଶଶିଭୁଷଣ ପାଣିଗ୍ରାହୀ ଉକ୍ତ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି କ୍ରମାଗତ ଆଜକୁ ୮ବର୍ଷ ଧରି ଆମ ଦେଶରେ ରାଷ୍ଟ୍ରୀୟ ପୋଷଣ ମାସ କିପରି ପାଳିତ ହେଉଛି ଏବଂ ଏହାର ଆବଶ୍ୟକତା ସମ୍ପର୍କରେ ବିସ୍ତୃତ ବର୍ଣ୍ଣନା କରିଥିଲେ । ଡ଼ା. ଖଗେଶ୍ୱର ସିଂହ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଚିନି ଏବଂ ତେଲର ବ୍ୟବହାରକୁ କମ୍ କରିବା ଓ ନବଜାତ ଶିଶୁର ଯତ୍ନ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଅଧ୍ୟାପିକା କୁମକୁମ ଦାସ ପ୍ରତିବର୍ଷ ସେପେ୍ଯମ୍ବର ୧୭ ତାରିଖରୁ ଅକ୍ଟୋବର ୧୬ ତାରିଖ ପର୍ଯ୍ୟନ୍ତ ସଚେତନତାର ବାର୍ତା ବାଂଟିବା ସକାଶେ ସମଗ୍ର ଦେଶରେ କିପରି ପୋଷଣ ମାସ ପାଳିତ ହେଉଛି ଏବଂ ଧିରେ ଧିରେ ଏହା କିପରି ଏକ ଜନଆନ୍ଦୋଳନର ରୂପ ନେଉଛି ବ୍ୟକ୍ତ କରିଥିଲେ । ଅଧ୍ୟାପକ ଗିରିଜା ଶଙ୍କର ପାତ୍ର ପ୍ରାରମ୍ଭରେ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଅଧ୍ୟାପିକା ସୁଧାରାଣି ବେହେରା କାର୍ଯ୍ୟକ୍ରମର ଶେଷ ସ୍ପର୍ଶ ଦେଇଥିଲେ । ସେହିପରି କପ୍ତିପଦା ବ୍ଲକ ଅନ୍ତର୍ଗତ ନୁଦଡ଼ିହା ଗ୍ରାମସ୍ଥିତ ମେଘାସନ ମହାବିଦ୍ୟାଳୟ ପରିସରରେ ‘ରାଷ୍ଟ୍ରୀୟ ପୋଷଣ ମାସ – ୨୦୨୫’ ଅବସରରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ମହାବିଦ୍ୟାଳୟରେ ଥିବା ଜାତୀୟ ସେବା ଯୋଜନା ଓ ଯୁବରେଡ଼କ୍ରସ ମିଳିତ ଭାବରେ ଏହି କାର୍ଯ୍ୟକ୍ରମ ଆୟୋଜନର ନେତୃତ୍ୱ ନେଇଥିଲେ । ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରମୋଦ କୁମାର ରାଉତ ଆୟୋଜକ ମାନଙ୍କର ଉଦ୍ୟମକୁ ଭୁୟସୀ ପ୍ରଶଂସା କରିଥିଲେ । ସମ୍ବଳ ବ୍ୟକ୍ତି ଭାବରେ ଡ଼. ମନୋଜ କୁମାର ବାରିକ ଓ ଡ଼. ରସ୍ମିତା ଦାଶ, କିଶୋରି ବାଳିକା ମାନେ କିପରି କୁପୋଷଣର ଶିକାର ହୋଇଥାନ୍ତି ସେ ସମ୍ପର୍କରେ ଅବଗତ କରାଇବା ସହିତ ଏହାର ନିରାକରଣ ପାଇଁ କିପ୍ରକାର ପଦକ୍ଷେପ ନେବା ଉଚିତ ବିସ୍ତୃତ ବର୍ଣ୍ଣନା କରିଥିଲେ । ଅଧ୍ୟପକ ଡ଼. ନିରଂଜନ ପାଠୀ ଆମ ଦେଶରେ ସବୁଠାରୁ ଅଧିକ କିଶୋରି ବାଳିକା କୁପୋଷଣର ଶିକାର ହେଉଥିବାର ଦେଖିବାକୁ ମିଳେ, ଯାହାକି ଆମ ପାଇଁ ଦୁଃଖ ଓ ଲଜ୍ୟାକର ବିଷୟ ବୋଲି ବ୍ୟକ୍ତ କରିଥିଲେ । ପ୍ରାରମ୍ଭରେ ଅଧ୍ୟାପିକା ସସ୍ମିତା ଲାୟା ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଅଧ୍ୟାପକ ସମୀର କୁମାର ଭୋଇ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।
