ବାରିପଦା : ୨୧.୧୧.୨୦୨୪ // ମୟୂରଭଞ୍ଜ ଜିଲ୍ଲାରେ ଖରିଫ‌ ୨୦୨୪ -୨୫ ବର୍ଷ ପାଇଁ ଜିଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ ଜିଲ୍ଲା ପରିଷଦ କାର୍ଯ୍ୟାଳୟସ୍ଥ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ହେମକାନ୍ତ ସୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ମନ୍ତ୍ରୀ, ଜଙ୍ଗଲ ଓ ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ, ଓଡ଼ିଶା ସରକାର ଗଣେଶ ରାମ ସିଂ ଖୁଣ୍ଟିଆ ଯୋଗ ଦେଇଥିବା ବେଳେ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭାରତୀ ହାଁସଦା, ମାନ୍ୟବର ବିଧାୟକ, ଉଦଳା, ଭାସ୍କର ଚନ୍ଦ୍ର ମଢେଇ, ମାନ୍ୟବର ବିଧାୟକ, ସାରସକଣା ଭାଦବ ହାଁସଦା, ମାନ୍ୟବର ବିଧାୟକ, ରାଇରଙ୍ଗପୁର ଜଲେନ ନାଏକ, ମାନ୍ୟବର, ବିଧାୟିକା, ବାଙ୍ଗିରିପୋଷି, ସଞ୍ଜଳୀ ମୂର୍ମୁ, ମାନ୍ୟବର ମନ୍ତ୍ରୀ, ଗୃହ ଓ ନଗର ଉନ୍ନୟନ ତଥା ସାଧାରଣ ଉଦ୍ୟୋଗଙ୍କ ପ୍ରତିନିଧି କାନ୍ଦ୍ରା ସୋରେନ ପ୍ରମୁଖ ଯୋଗ ଦେଇ ଜିଲ୍ଲାରେ ଖରିଫ ଧାନ ସଂଗ୍ରହ କିଭଳି କରାଯିବ ସେବିଷୟରେ ଆଲୋଚନା କରିଥିଲେ। ବୈଠକରେ ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ କୃଷ୍ଣ ଚନ୍ଦ୍ର ସେଠି ଓ ଡେପୁଟି ରେଜିଷ୍ଟ୍ରାର୍, ସମବାୟ ସମିତି କୃଷ୍ଣ ଚନ୍ଦ୍ର ଦାସ ଉପସ୍ଥିତ ରହି ବିବରଣୀ ପାଠ କରିବା ସହିତ ସଭାକାର୍ଯ୍ୟ ପରିଚାଳନା କରିଥିଲେ।

ସୂଚନାନୁସାରେ, ଚଳିତ ମାସ ଡିସେମ୍ବର ୨୪ ତାରିଖରୁ ପର୍ଯ୍ୟାୟକ୍ରମେ ଜିଲ୍ଲାର ୫୫୯୩୮ ପଞ୍ଜୀକୃତ ଚାଷୀ ମାନଙ୍କ ଠାରୁ ୧୦୩ ଗୋଟି ମଣ୍ଡି ଓ ୫୨ଟି ଲ୍ୟାମ୍ପସ ମାଧ୍ୟମରେ ୧୪,୬୬,୧୦୨.୯୪ କୁଇଣ୍ଟାଲ ଧାନ ସଂଗ୍ରହ କରାଯିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଜିଲ୍ଲାପାଳ ଚାଷୀମାନଙ୍କ ସୁବିଧା ପାଇଁ ମଣ୍ଡି ରେ ପର୍ଯ୍ୟାପ୍ତ ସୁବିଧା, ଶୀଘ୍ର ଧାନ ଉଠିବା ପାଇଁ ନିଆଯାଉଥିବା ପଦକ୍ଷେପ ଓ ଚୋରା ଚାଲାଣ ହେଉଥିବା ଧାନ ଗାଡ଼ିକୁ ଜବତ କରିବା ସହ ଗତଥର ମଣ୍ଡିରେ ଉପୁଜିଥିବା ବିଭିନ୍ନ ସମସ୍ୟାର ପୁନରାବୃତ୍ତି ନଘଟିବା ,ଚାଷୀମାନେ ଯେପରି କଟଣି ଛଟଣୀର ଶିକାର ନହେବେ ସେଥିପ୍ରତି ବିଶେଷ ଧ୍ୟାନ ଦେବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ବିଶେଷତଃ, ଅସାଧୁ ବ୍ୟକ୍ତି ଯେପରି ଧାନ ସଂଗ୍ରହ ପ୍ରକ୍ରିୟାରେ ହସ୍ତକ୍ଷେପ ନକରନ୍ତି, ମଣ୍ଡିରେ ସଂଗ୍ରହ ହେବାକୁ ଥିବା ଧାନକୁ ସୁରକ୍ଷିତ ଭାବେ ରଖିବାକୁ ଆବଶ୍ୟକୀୟ ପଲିଥିନ ଓ ଅନ୍ୟାନ୍ୟ ବ୍ୟବସ୍ଥାକୁ ନିଶ୍ଚିତ କରିବାକୁ, ଧାନ ସଂଗ୍ରହ କାର୍ଯ୍ୟକୁ ସଫଳ କରାଇବା ପାଇଁ ପ୍ରତିଟି ଆର୍ ଏମ ସିର ଅଧ୍ୟକ୍ଷ ମାନଙ୍କୁ ଗାଆଁ ଗାଆଁ ବୁଲି ଚାଷୀ ମାନଙ୍କ ସହିତ ଉତ୍ତମ ଯୋଗାଯୋଗ ରଖିବା ସହ ଧାନର ଏଫଏକ୍ୟୁ ମାନ ବିଷୟରେ ଚାଷୀଙ୍କୁ ପୂର୍ବରୁ ସଚେତନ କରିବା, ମଣ୍ଡିକୁ ଧାନ ଆସିବାର ଯଥା ସମୟ ପୂର୍ବରୁ ଚାଷୀ ମାନଙ୍କୁ ଟୋକେନ୍ ଦେବା ବ୍ୟବସ୍ଥା କରିବା, କଳାବଜାରୀ ଭଳି ବେଆଇନ କାର୍ଯ୍ୟଗୁଡିକୁ ରୋକିବା ପାଇଁ ମାନ୍ୟବର ମନ୍ତ୍ରୀ ଶ୍ରୀ ଖୁଣ୍ଟିଆ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ ।

ମାନ୍ୟଵର ବିଧାୟକ ବୃନ୍ଦ ଝୋଟ ବସ୍ତାର ପର୍ଯ୍ୟାପ୍ତ ଯୋଗାଣ,ମଣ୍ଡିରେ ବିଜୁଳି, ଭିତ୍ତିଭୂମି,ଆଶ୍ରୟ ସ୍ଥଳ,ଟୋକନ୍ ସମୟ ସୀମା, ସମସ୍ତ ବ୍ଲକରେ ଓଜନ ମେସିନ ର ଉପଲବ୍ଧି ଉପରେ ଆଲୋଚନା କରିବା ସହ ଚାଷୀ ପ୍ରତିନିଧି, ମିଲର ତଥା ପ୍ରଶାସନିକ ସହଯୋଗରେ ଚଳିତ ଖରିଫ ଧାନ ସଂଗ୍ରହକୁ ବିନା କୌଣସି ଅସୁବିଧାରେ ସମ୍ପନ୍ନ କରିବାକୁ ଆହ୍ୱାନ ଦେଇଥିଲେ ।
ଜିଲ୍ଲା ସ୍ତରରେ ନୋଡାଲ ଅଫିସର ଭାବରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ଵ)ଙ୍କୁ ଦାୟିତ୍ୱ ମିଳିଥିବା ବେଳେ, ସମସ୍ତ ମଣ୍ଡି ମାନଙ୍କରେ ଜଣେ ଲେଖାଏ ନୋଡ଼ାଲ ଅଧିକାରୀ ଏବଂ ୪-୫ ଟି ମଣ୍ଡି ରେ ଜଣେ ଲେଖାଏ ସୁପରଭାଇଜିଙ୍ଗ ଅଧିକାରୀ ଙ୍କୁ ଦାୟୀତ୍ବ ଦିଆ ଯାଇଛି । ଝୋଟ ବସ୍ତାର ପର୍ଯ୍ୟାପ୍ତ ଯୋଗାଣ,ମଣ୍ଡିରେ ବିଜୁଳି, ଭିତ୍ତିଭୂମି,ଆଶ୍ରୟ ସ୍ଥଳ,ଟୋକନ୍ ସମୟ ସୀମା, ଓଜନ ମେସିନର ଉପଲବ୍ଧି ଉପରେ ଆଲୋଚନା କରିବା ସହ ଚାଷୀ ପ୍ରତିନିଧି, ମିଲର ତଥା ପ୍ରଶାସନିକ ସହଯୋଗରେ ଚଳିତ ଖରିଫ ଧାନ ସଂଗ୍ରହକୁ ବିନା କୌଣସି ଅସୁବିଧାରେ ସମ୍ପନ୍ନ କରିବାକୁ ଜିଲ୍ଲାପାଳ ଶ୍ରୀ ସୟ କହିଥିଲେ । ବାହାର ଜିଲାରୁ କିମ୍ବା ଆନ୍ତରାଜ୍ୟ ଧାନ ବିକ୍ରି ରୋକ ପାଇଁ ଆରକ୍ଷୀ ଅଧିକ୍ଷକ ବିଭିନ୍ନ ସ୍ଥାନରେ ନାକା ବନ୍ଦୀ କରିବା ତଥା ସିସିଟିଭି ଦ୍ବାରା ପୋଲିସ ବିଭିନ୍ନ ସ୍ଥାନରେ ଜଗିବ ବୋଲି ମଧ୍ୟ ଜିଲ୍ଲାପାଳ ସୂଚନା ଦେଇଥିଲେ ।

ରାଜ୍ୟ ସରକାରଙ୍କ ନିଷ୍ପତ୍ତିକ୍ରମେ ଚଳିତ ବର୍ଷ ଏଫ୍.ଏ.କ୍ୟୁ ଧାନ ର ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରତି କ୍ଵିଣ୍ଟାଲ ପିଛା ୨୩୦୦/- ଟଙ୍କା ଏବଂ ଗ୍ରେଡ-ଏ ମୂଲ୍ୟ ପ୍ରତି କ୍ଵିଣ୍ଟାଲ ୨୩୨୦/- ଟଙ୍କା ରଖାଯାଇଛି। ଏହାବାଦ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ସର୍ବନିମ୍ନ ସହାୟକ ମୂଲ୍ୟ ସମେତ ୮୦୦ ଟଙ୍କାର ଅତିରିକ୍ତ ଇନପୁଟ ଆସିଷ୍ଟାନ୍ସ ମଧ୍ୟ ଦିଆଯିବ ।

ପ୍ରତ୍ୟେକ ଧାନ ମଣ୍ଡିରେ ଗୁଣାତ୍ମକ ମାନ ଯାଞ୍ଚ କରିବା ପାଇଁ ବ୍ୟବସ୍ଥା କରାଯିବ । ଏଥିନିମନ୍ତେ ରେଜିଷ୍ଟର ରଖାଯାଇ ମାନଯାଞ୍ଚ ତଥ୍ୟ ଓ କୃଷକ ମାନଙ୍କ ନାମ ଉଲ୍ଲେଖ ରହିବ । ଏଥିନିମନ୍ତେ ପ୍ରାଥମିକ କୃଷି ସମବାୟ ସମିତି ଓ ନିୟନ୍ତ୍ରଣ ବଜାର କମିଟି ସମ୍ପାଦକ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବେ । ସଂଗୃହୀତ ଧାନର ମାନ ନିରୀକ୍ଷଣ କରିବା ପାଇଁ ଆର୍ଟିଫସିଆଲ ଇଣ୍ଟେଲିଜେନ୍ସ ଦ୍ୱାରା ପରିଚାଳିତ (GRAIN Analyser) ଯନ୍ତ୍ରର ବ୍ୟବହାର କରାଯିବ ଏବଂ ସମସ୍ତ ମଣ୍ଡି ମାନଙ୍କରେ ଡିଜିଟାଲ ଆଦ୍ରତା ମାପ ଯନ୍ତ୍ର ସହ CCTV କ୍ୟାମେରା ଲଗାଯିବ ଓ ଧାନ ମିଳିବାର ୪୮ ଘଣ୍ଟା ମଧ୍ୟରେ ଯେପରି ଚାଷୀ ଟଙ୍କା ପାଇବେ ବୋଲି ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ସୂଚନା ଦେଇଥିଲେ ।

ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ, କପ୍ତିପଦା ଉପଖଣ୍ଡ, ଉପଜିଲ୍ଲାପାଳ ସୁଶାନ୍ତ କୁମାର ବାରିକ, ବାରିପଦା ଉପଜିଲ୍ଲାପାଳ, ଈଶ୍ବର ଚନ୍ଦ୍ର ନାଏକ, ପାଞ୍ଚପୀଢ଼ ଉପଜିଲ୍ଲାପାଳ ପ୍ରେମାନଶୁ ଚାନ୍ଦ, ବାମନଘାଟି ଉପାଜିଲ୍ଲପାଳ ସୌମ୍ୟରଂଜନ ପ୍ରଧାନ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ସିଦ୍ଧାର୍ଥ ଶଙ୍କର ବେହୁରିଆ, କୃଷକ ପ୍ରତିନିଧି ଓ ଜିଲ୍ଲା ଯୋଗାଣ ବିଭାଗର ସମସ୍ତ ଅଧିକାରୀ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *