ବାରିପଦା/ବାଙ୍ଗିରିପୋଷି : 19.11.2024// ମୟୂରଭଞ୍ଜ ଜିଲ୍ଲାରେ ଅନୁସୂଚିତ ଜନଜାତି ଓ ଜାତି ବର୍ଗର ଆର୍ଥିକ ବିକାଶ ସହ ଆଦିବାସୀ ଛାତ୍ର ଛାତ୍ରୀଙ୍କ ଉଚ୍ଚଶିକ୍ଷାର ଅବିବୃଦ୍ଧି ପାଇଁ ଜିଲ୍ଲାପାଳ ହେମକାନ୍ତ ସୟଙ୍କ ପ୍ରଚେଷ୍ଟାରେ ବାଙ୍ଗିରିପୋଷି ଠାରେ ଆରମ୍ଭ ହୋଇଛି ପ୍ରଶିକ୍ଷଣ କେନ୍ଦ୍ର। ଜିଲ୍ଲାପାଳଙ୍କ ପ୍ରଚେଷ୍ଟା ଏବଂ ସମ୍ୱନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା (ITDA) ବାରିପଦାଙ୍କ ସଂଯୋଜନାରେ, ବଣକାଟି ଠାରେ ମହିଳା ମାନଙ୍କ ପାଇଁ ନିର୍ମାଣ ହୋଇଛି ଫୁଲୋ ଝନୋ ପୋଷାକ ଉତ୍ପାଦନ ପ୍ରଶିକ୍ଷଣ କେନ୍ଦ୍ର (Phulo Jhano Apparel Manufacturing Unit) ଏବଂ ମେଧାବୀ ଛାତ୍ର ଛାତ୍ରୀ ଯେଉଁ ମାନେ, ଡାକ୍ତରୀ ଏବଂ ଇଞ୍ଜିନିୟରିଙ୍ଗରେ ଭବିଷ୍ୟତ ଗଢିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ NEET/JEE ପରୀକ୍ଷା ପାଇଁ ମାଗଣା କୋଚିଂ ଦିଆ ଯାଉଛି।

ସୂଚନା ଯୋଗ୍ୟଯେ, ବର୍ତ୍ତମାନ ସୁଦ୍ଧା ଏହି ପୋଷାକ ଉତ୍ପାଦନ ପ୍ରଶିକ୍ଷଣ କେନ୍ଦ୍ରରେ ପାଖାପାଖି ୫୦ ଜଣ ମହିଳା ସିଲେଇ ଶିକ୍ଷା ଗ୍ରହଣ କରୁଛନ୍ତି ଏବଂ NEET/JEE ପରୀକ୍ଷା ପାଇଁ ୧୦୦ଜଣ ମେଧାବୀ ଛାତ ଛାତ୍ରୀଙ୍କୁ, ବଣକାଟି ସ୍ଥିତ ସରକାରୀ ବାଳିକା ଏସ.ଏସ.ଡ଼ି. ହାୟର ସେକେଣ୍ଡାରୀ ସ୍କୁଲ ଠାରେ ଉନ୍ନତ ମାନର ପ୍ରଶିକ୍ଷକଙ୍କ ଦ୍ୱାରା ମାଗଣାରେ ଶିକ୍ଷାଦାନ ଦିଆଯାଉଛି। ଏହି କୋଚିଂ ପାଇଁ, ଜିଲ୍ଲାରେ, ଅନୁସୂଚିତ ଜନଜାତି ଓ ଜାତି ବିଭାଗ ଅଧିନସ୍ଥ ଥିବା ସମସ୍ତ ଏସ.ଏସ.ଡ଼ି. ସ୍କୁଲ ମାନଙ୍କରେ ଏଣ୍ଟ୍ରାନ୍ସ ମାଧ୍ୟମରେ ମେଧାବୀ ଛାତ୍ରଛାତ୍ରୀଙ୍କୁ ଚୟନ କରାଯାଇ ଏହି କୋଚିଂ ସେଣ୍ଟରରେ ପ୍ରଶିକ୍ଷଣ ଦେବାର ବ୍ୟବସ୍ଥା କରାଯାଇଛି।

ଜିଲ୍ଲାପାଳ ଶ୍ରୀ ସୟଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏବଂ ITDA ପକଳ୍ପ ପ୍ରଶାସକ, ପ୍ରଣୟ ରଞ୍ଜନ ବେହେରାଙ୍କ ସଂଚାଳନାରେ ଏହି ବ୍ୟବସ୍ଥା ସମସ୍ତ ଆଦିବାସୀ ଅଧୁସିତ ଅଂଚଳରେ ମହିଳା ମାନଙ୍କ ଆର୍ଥିକ ଉନ୍ନତି ନିମନ୍ତେ ଏକ ମାଧ୍ୟମ ଏବଂ ଏହି ପୋଷାକ ଉତ୍ପାଦନ ୟୁନିଟରେ ମାଗଣାରେ ସିଲାଇ ମେସିନ ଯୋଗାଇଦେବା ସହିତ ସେମାନଙ୍କର ପ୍ରଶିକ୍ଷଣରେ ଯେପରି କୌଣସି ଉଣା ନ ହୁଏ ସେ ବିଷୟରେ ଜିଲ୍ଲାପାଳ ଧ୍ୟାନ ରଖିଛନ୍ତି। ଡାକ୍ତରୀ ଏବଂ ଇଞ୍ଜିନିୟରିଙ୍ଗ କ୍ଷେତ୍ରରେ ଅଧିକରୁ ଅଧିକ ପ୍ରୋତ୍ସାହନ ଯେଭଳି ଆଦିବାସୀ ଛାତ୍ରଙ୍କୁ ମିଳୁ ଏବଂ IIT / AIIMS ଭଳି ଉନ୍ନତ ସରକାରୀ ମହାବିଦ୍ୟାଳୟରେ ପଢ଼ିବାର ସୁଯୋଗ ପାଇବେ ବୋଲି ଜିଲ୍ଲାପାଳ ଶ୍ରୀ ସୟ ଆଶା ପୋଷଣ କରିଛନ୍ତି। କେବଳ ଆଦିବାସୀ ନୁହେଁ, ଅନାଥ ମେଧାବୀ ଛାତ୍ରଙ୍କ ପାଇଁ ମଧ୍ୟ ଏହି କୋଚିଂ ମାଗଣାରେ ଉପଲବ୍ଧ। ଶିକ୍ଷାଦାନ ପଦ୍ଧତିରେ ଅଧିକରୁ ଅଧିକ ଉନ୍ନତି ଆଣିବା ପାଇଁ ଏବଂ ଛାତ୍ର ମାନଙ୍କୁ ଅଧିକ ଜିଜ୍ଞାସୁ କରିବା ପାଇଁ ଜିଲ୍ଲାରେ କାର୍ଯ୍ୟରତ ପ୍ରଶାସନିକ ଅଧିକାରୀ ମାନଙ୍କୁ ମଧ୍ୟ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ସାମିଲ ହେବାକୁ ଜିଲ୍ଲାପାଳ କହିଛନ୍ତି।

ନିକଟରେ ଆରମ୍ଭ ହୋଇଥିବା ଏହି ବସ୍ତ୍ର ଉତ୍ପାଦନ ତଥା ସିଲାଇ ଶିକ୍ଷା କେନ୍ଦ୍ରକୁ, ମାନ୍ୟବର ମନ୍ତ୍ରୀ, ସାଂସଦ, ବିଧାୟକ, ଏବଂ ଜନପ୍ରତିନିଧି ମାନେ ଗସ୍ତ କରି ସେଠାକାର କାର୍ଯ୍ୟକାରିତାର ନିରୀକ୍ଷଣ ମଧ୍ୟ କରିଛନ୍ତି। ଛାତ୍ର ଛାତ୍ରୀଙ୍କ ସହ ମିଶି ଏହି ଶିକ୍ଷାଦାନ ପଦ୍ଧତିକୁ ଆହୁରି ତ୍ୱରାନ୍ୱିତ କରିବା ଏବଂ ଅଧିକରୁ ଅଧିକ ଆଦିବାସୀ ଛାତ୍ରଛାତ୍ରୀ ଏଥିରେ ଲାଭାନ୍ବିତ କିଭଳି ହୋଇପାରିବେ ସେ ବିଷୟରେ ଉପଦେଶ ଦେଇଛନ୍ତି ଏବଂ ଜିଲ୍ଲାପାଳଙ୍କୁ ମଧ୍ୟ ଏହି ଭଳି ଏକ ଅତି ଆବଶ୍ୟକୀୟ, ଉନ୍ନତିମୂଳକ ଓ ଯୁଗାନ୍ତକାରୀ ପଦକ୍ଷେପ ନେଇଥିବାରୁ ସାଧୁବାଦ ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *