ବାରିପଦା:୦୬.୧୧.୨୦୨୪// ବିଶେଷ କରି ଯୁବପୀଢ଼ି, ଯେଉଁ ମାନେ ପ୍ରତିଯୋଗିତା ମୂଳକ ପରୀକ୍ଷା ପାଇଁ ନିଜକୁ ପ୍ରସ୍ତୁତ କରୁଛନ୍ତି ସେମାନଙ୍କ ପ୍ରସ୍ତୁତିକୁ ତ୍ୱରାନ୍ୱିତ କରିବା ପାଇଁ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ ପୁନଃ ନିର୍ମାଣ ହେଉଛି, ଜିଲ୍ଲା ପାଠାଗାର। ଜିଲ୍ଲାପାଳ ଶ୍ରୀ ହେମକାନ୍ତ ସୟଙ୍କ ସ୍ୱତଃ ପ୍ରଚେଷ୍ଟା ଫଳରେ ଜିଲ୍ଲା ସଂସ୍କୃତି ଭବନ ପରିସରରେ ଥିବା ପାଠାଗାରକୁ ଜିଲ୍ଲା ପାଠାଗାର ରୂପେ ପୁନଃନିର୍ମାଣ କରାଯାଉଛି। ଜିଲ୍ଲାପାଳ ସୟଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏବଂ ଜିଲ୍ଲା ସଂସ୍କୃତି ଅଧିକାରୀ ଅନନ୍ତ ପ୍ରସାଦ ସେଠୀଙ୍କ ପରିଚାଳନାରେ ଏହି ପାଠାଗାରକୁ ପୁନଃ କାର୍ଯ୍ୟକ୍ଷମ କରିବା ପାଇଁ କାର୍ଯ୍ୟ ଆରମ୍ଭ ହୋଇ ଯାଇଛି।

ଜିଲ୍ଲାପାଳ ନିଜେ ଏହି କାର୍ଯ୍ୟର ନିରୀକ୍ଷଣ କରିବା ସମୟରେ ଏହି ପାଠାଗାରକୁ ଯୁଗୋପଯୋଗୀ କରିବା ନିମିତ୍ତ ଇଣ୍ଟରନେଟ ସୁବିଧା ସହିତ ସମସ୍ତଙ୍କ ପାଇଁ ପଢା ସମୟରେ ଖୋଲା ରହିବ ଏବଂ ଏଠାରେ ସଂସ୍କୃତି, ଇତିହାସ, ଜିଲ୍ଲାର ଭୂଗୋଳ, ରାଜ୍ୟ, ଦେଶ ଇତ୍ୟାଦି ଉପରେ ବିଭିନ୍ନ ପୁସ୍ତକ ରହିବ । ଏହା ବ୍ୟତୀତ UPSC, OPSC, ବ୍ୟାଙ୍କିଙ୍ଗ୍ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରମାନଙ୍କ ପାଇଁ ପ୍ରତିଯୋଗିତାମୂଳକ ପୁସ୍ତକ ମଧ୍ୟ ଉପଲବ୍ଧ ରହିବ। ପାଠକ ପାଠିକା ଏବଂ ବିଶେଷ କରି ଯୁବ ବର୍ଗ ଯେଉଁମାନେ ପ୍ରତିଯୋଗିତା ମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି ସେମାନଙ୍କ ପାଇଁ ଏହା ଏକ ଉତ୍କୃଷ୍ଟ ପରିବେଶ ହେବ ବୋଲି ଜିଲ୍ଲାପାଳ ଆଶା ପ୍ରକଟ କରିଛନ୍ତି ଏବଂ ସେମାନଙ୍କୁ ପଢା ବହି ବ୍ୟତୀତ ବିଭିନ୍ନ ପତ୍ର, ପତ୍ରିକା, ଉପନ୍ୟାସ, ଖବର କାଗଜ ନିର୍ଦ୍ୱନ୍ଦରେ ପଢିବାକୁ ଏହି ପାଠାଗାରରେ ସୁଯୋଗ ଦିଆଯିବ।

ସୂଚନାନୁସାରେ, ଏହି ପାଠାଗାର ୨୦୦୮ ମସିହାରୁ ସଂସ୍କୃତି ଭବନରେ କାର୍ଯ୍ୟକାରୀ ହେଉଛି, କିନ୍ତୁ ଦୀର୍ଘବର୍ଷ ପରେ ଏହାର ପୁନଃ ନିର୍ମାଣ ଏବଂ ନୂତନ ଶୈଳୀରେ ଏହାର ପୁନର୍ବିନ୍ୟାସ କାର୍ଯ୍ୟ ହେଉଛି, ଯାହା ବିଶେଷ କରି ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ବୌଦ୍ଧିକ କ୍ଷମତା ବୃଦ୍ଧି ବିକାଶରେ ସହାୟକ ହେବ ବୋଲି ପ୍ରଶାସନ ଆଶା ପ୍ରକଟ କରିଛନ୍ତି । କିଛି ମାସ ତଳେ, ବାରିପଦା ସ୍ଥିତ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ସ୍ମୃତିରେ ତିଆରି ହୋଇଥିବା ଗୋପବନ୍ଧୁ ଭବନ, ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ଅଧୀନରେ ଥିବା ସୂଚନା କେନ୍ଦ୍ର ତଥା ପାଠାଗାର ଏହି ଗୋପବନ୍ଧୁ ଭବନକୁ ସ୍ଥାନାନ୍ତରିତ ହୋଇଛି। ସେଠାରେ ମଧ୍ୟ ପାଠାଗାର କାର୍ଯ୍ୟକାରୀ ହେଉଥିବା ବେଳେ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀ ସେଠାରେ ନିୟମିତ ଆସି ପଢୁଛନ୍ତି।

ଜିଲ୍ଲାପାଳଙ୍କ ତତ୍ୱାବଧାନରେ କାର୍ଯ୍ୟକାରୀ ହେଉଥିବା ସମସ୍ତ ନିର୍ମାଣ କାର୍ଯ୍ୟର ଦାୟିତ୍ୱ ଜିଲ୍ଲା ପ୍ରଶାସନର ସମସ୍ତ ଉପ ବିଭାଗଙ୍କର ମିଳିତ ଉଦ୍ୟମରେ ଏବଂ ବିଶେଷ କରି ଜିଲ୍ଲା ସଂସ୍କୃତି ଅଧିକାରୀଙ୍କ ପରିଚାଳନାରେ ଚାଲିଛି। ଖୁବ ଶୀଘ୍ର ଏହା ପାଠକ ପାଠିକାଙ୍କ ପାଇଁ ଉପଲବ୍ଧ ହେବ ବୋଲି ଜିଲ୍ଲାପାଳ କହିଛନ୍ତି,ବୋଲି ଜିଲ୍ଲା ସୂଚନା ଅଧିକାରୀଙ୍କ ଦ୍ୱାରା ସୂଚନା ମିଳିଛି !

Leave a Reply

Your email address will not be published. Required fields are marked *