୬ଷ୍ଠ ରାଜ୍ୟ ଅର୍ଥ କମିଶନ ମୟୂରଭଞ୍ଜ ଜିଲ୍ଲାକୁ ପରିଦର୍ଶନରେ ଆସି
ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ହେମକାନ୍ତ ସୟ୍ ଙ୍କ ସଭାପତିତ୍ଵରେ ଅନୁଷ୍ଠିତ ଏକ ସମୀକ୍ଷା ବୈଠକ ଯୋଗ ଦେଇଥିଲେ । ଉକ୍ତ ବୈଠକରେ ନବଗଠିତ ୬ଷ୍ଠ ରାଜ୍ୟ ଅର୍ଥ କମିଶନ ସଭାପତି ଡ଼ଃ ଅରୁଣ କୁମାର ପଣ୍ଡା , ସଦସ୍ୟ ପ୍ରୋ. ଅସିତ ରଞ୍ଜନ ମହାନ୍ତି, ଡ଼ଃ ବିଭୁ ପ୍ରସାଦ ନାୟକ, ପ୍ରଦୀପ୍ତ କୁମାର ବିଶ୍ଵାଳ ପ୍ରମୁଖ ଉପସ୍ଥିତ ରହି ୫ମ ରାଜ୍ୟ ଅର୍ଥ କମିଶନ ପି.ଆର୍.ଆଇ, ୟୁଏଲବି ଏବଂ ୧୫ଶ ଅର୍ଥ କମିଶନ ପି.ଆର୍.ଆଇ ପାଣ୍ଠି ଅର୍ଥ ବିନିଯୋଗ ଉପରେ ସମୀକ୍ଷା କରିଛନ୍ତି । ଏଥିରେ ୫ମ ଅର୍ଥ କମିଶନ ପାଣ୍ଠି ବିନିଯୋଗର ସଫଳତା ଓ ବାକି ରହିଯାଇଥିବା ବିଭିନ୍ନ ପ୍ରକଳ୍ପ ସମ୍ପର୍କରେ ଆଲୋଚନା ହୋଇଛି । ସେହିପରି ନିଜସ୍ଵ ଆୟ ପାଣ୍ଠି ବୃଦ୍ଧି କରି ଏହାର ସୁବିନିଯୋଗ କରିବାକୁ କମିଶନ ସଭାପତି ଡ଼ଃ ପଣ୍ଡା ଗୁରୁତ୍ୱ ଦେଇଛନ୍ତି । ୧ମ ରୁ ୫ମ ରାଜ୍ୟ ଅର୍ଥ କମିଶନ ପାଣ୍ଠିର ବିଭିନ୍ନ ବକେୟା ପ୍ରକଳ୍ପ ସମ୍ପର୍କରେ ମଧ୍ୟ ଅନୁଧ୍ୟାନ କରିଛନ୍ତି । ସମସାମୟିକ କୌଶଳ, ଆଇଟି ଆଦି ବିଭିନ୍ନ ପ୍ରଯୁକ୍ତି ବିଦ୍ୟା ବ୍ୟବହାର କରି ଲୋକଙ୍କ ଆବଶ୍ୟକତାକୁ ପୂରଣ କରିବାକୁ କମିଶନ ସଭାପତି ଡ଼ଃ ପଣ୍ଡା ମତପୋଷଣ କରିଛନ୍ତି । ଉକ୍ତ ସଭାରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭାରତୀ ହାଁସଦା, ମୁଖ୍ୟ ଉନ୍ନୟନ ଅଧିକାରୀ ଧର୍ମାନନ୍ଦ ବେହେରା, ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ଶାନ୍ତନୁ କୁମାର ନାୟକ ସମେତ ମୟୂରଭଞ୍ଜ ଜିଲ୍ଲାର ସମସ୍ତ ବିଡ଼ିଓ, ଚେୟାରମ୍ୟାନ୍, ମ୍ୟୁନିସିପାଲିଟିର କାର୍ଯ୍ୟ ନିର୍ବାହୀ ଅଧିକାରୀ ଓ ନଗରପାଳ, ବିଜ୍ଞାପିତ ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ଓ ଚେୟାରମ୍ୟାନ୍ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *