ବାରିପଦା -ତା -14/11/2025-ମୟୁରଭଞ୍ଜ ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ପୋଲିସ ପ୍ରଶାସନ, ଙ୍କ ମିଳିତ ଆନୁକୂଲ୍ୟରେ ସାଇବର ସୁରକ୍ଷା ସଚେତନତା ଅଭିଯାନ-୨୦୨୫ ପାଳନ ଅବସରରେ ଆଜି ମୟୂରଭଞ୍ଜ ପୋଲିସ ପ୍ରଶାସନ ପକ୍ଷରୁ ଏକ ସଚେତନତା ୱାକାଥନ ଆୟୋଜିତ ହୋଇଯାଇଛି I
ଜିଲ୍ଲାପାଳ ହେମକାନ୍ତ ସୟ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବରୁଣ ଗୁଣ୍ଟୁପାଲ୍ଲୀ ଏହାକୁ ପତାକା ଦେଖାଇ ଶୁଭ ଉଦଘାଟନ କରିଥିଲେ।
ଏହି ଅବସରରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ କହିଥିଲେ ଯେ ଏହି ପଦଯାତ୍ରାର ମୁଖ୍ୟ ଉଦେଶ୍ୟ ହେଉଛି ସାଇବର ଠକ ମାନଙ୍କ କବଳରୁ ସୁରକ୍ଷିତ ରହିବା ପାଇଁ ସତର୍କତା ଅବଲମ୍ବନ ନିମନ୍ତେ ଜନସାଧାରଣଙ୍କ ମଧ୍ୟରେ ବ୍ୟାପକ ସଚେତନତା ସୃଷ୍ଟି କରିବା।
କାରଣ ପରିବର୍ତ୍ତିତ ସମୟ ଅନୁସାରେ ବର୍ତ୍ତମାନ ପ୍ରତ୍ୟେକ କାର୍ଯ୍ୟ କ୍ଷେତ୍ରରେ ଉନ୍ନତ ବୈଷୟିକ ଜ୍ଞାନ କୌଶଳର ପ୍ରୟୋଗ ସାଙ୍ଗକୁ ଇଣ୍ଟେର୍ନେଟ ଓ ସ୍ମାର୍ଟ ଫୋନ୍ ର ବହୁଳ ବ୍ୟବହାର ସମସ୍ତଙ୍କ ପାଇଁ ଅପରିହାର୍ଯ୍ୟ ହୋଇ ପଡିଛି ଏବଂ ଏହାର ସୁଯୋଗ ନେଇ ସାଇବର ଠକମାନେ ନୂଆ ନୂଆ ଉପାୟରେ ଠକୁଛନ୍ତି, ବିଶେଷ କରି ଲୋକମାନଙ୍କ ବ୍ୟାଙ୍କ ଖାତାରୁ ଜମା ରାଶି ହଡପ କରି ନେଇ ଲୋକଙ୍କୁ ଭୀଷଣ ଆର୍ଥିକ କ୍ଷତି ପହଞ୍ଚାଉଛନ୍ତି । ସ୍ୱଳ୍ପ ସମୟରେ ଜମା ଅର୍ଥ ଦ୍ବିଗୁଣିତ କରି ଫେରସ୍ତ କରିବା ଲୋଭ ଦେଖାଇ ପୁଞ୍ଜି ନିବେଶ ପାଇଁ ମତେଇ ଲୋକଙ୍କୁ ଲୁଟୁଛନ୍ତି। ତେଣୁ ସାମାଜିକ ଗଣମାଧ୍ୟମ ବ୍ୟବହାର ସମୟରେ, ଅନଲାଇନ ସପିଙ୍ଗ ସମୟରେ, ଅନଲାଇନ ଆର୍ଥିକ କାରବାର ସମୟରେ,ଅନଲାଇନରେ କ୍ରୟ ବିକ୍ରୟ ସମୟରେ ଯଥେଷ୍ଟ ସତର୍କତା ଅବଲମ୍ବନ କରିବା, ପିତାମାତା ମାନେ ସେମାନଙ୍କ ପିଲାମାନଙ୍କ ଦ୍ୱାରା ବ୍ୟବହୃତ ବିଭିନ୍ନ ଆପ ଗୁଡିକ ନିୟମିତ ଯାଞ୍ଚ କରିବା, ପିଲାମାନଙ୍କୁ ଯଥା ସମ୍ଭବ ଅନଲାଇନ ଗେମରୁ ନିବୃତ କରାଇବା ନେଇ ସଚେତନ କରାଯାଉଛି।
ସେହିପରି ଜିଲ୍ଲାପାଳ କହିଥିଲେ ଯେ ବର୍ତ୍ତମାନ ଦେଖାଯାଉଛି ବହୁ ସମୟରେ ଫୋନ କଲ୍ ମାଧ୍ୟମରେ ଏଟିଏମ/ପ୍ୟାନ/ଆଧାର କାର୍ଡ ଇତ୍ୟାଦି ଅପଡେଟ ପାଇଁ ପିନ ପାସ ୱାର୍ଡ, ଓଟିପି ଶେୟାର କରିବା ପାଇଁ, ଟି ଭି ଟାୱାର ବସାଇବା ନେଇ ଆର୍ଥିକ ପ୍ରଲୋଭନର ଦେଖାଇବା , ଚାକିରୀ ଦେବା ନାଁରେ କିଛି ଅର୍ଥ ପୈଠ ପାଇଁ ପ୍ରବର୍ତ୍ତାଇବା, ମାର୍ଟିମନିଆଲ ସାଇଟରେ ତଥ୍ୟ ଶେୟାର କରିବା ପାଇଁ କହିବା, ମାଗଣାରେ କୌଣସି ଉପହାର ଦେବା, ବିଭିନ୍ନ ଆପ ଜରିଆରେ ବିନା ସୁଧରେ ଋଣ ଦେବା,ସିମ ସ୍ୱାପ , ଡିଜିଟାଲ ଆରେଷ୍ଟ ସନ୍ଦେଶ ଦେବା, ଲୋଭ ଦେଖାଇ ସନ୍ଦେହ ଜନକ ଅଜଣା ଲିଙ୍କରେ କ୍ଲିକ ପାଇଁ କହିବା,କୌଣସି ଅଜଣା ବ୍ୟକ୍ତିଙ୍କ ସହ ବ୍ୟକ୍ତିଗତ ତଥ୍ୟ ବା ଫୋଟୋ/ଭିଡ଼ିଓ ସେୟାର କରିବା ଇତ୍ୟାଦି ଠକାମୀର ଶିକାର ନହେବା ପାଇଁ ସଚେତନ କରାଯାଉଛି।
ଏତଦ ବ୍ୟତୀତ ନିଜର ବ୍ୟକ୍ତିଗତ ତଥ୍ୟକୁ ସୁରକ୍ଷିତ ରଖିବା ପାଇଁ କଠିନ ପାସ୍ ୱାର୍ଡ ବ୍ୟବହାର କରିବା ସହିତ ଯଦି ଅଜଣା ଫୋନ ନମ୍ବରରୁ କିଛି ସନ୍ଦେଶ ବା କଲ ଆସେ ତେବେ ତରବରିଆ ଭାବେ ନିଷ୍ପତ୍ତି ନନେଇ ଭାବିଚିନ୍ତି କାର୍ଯ୍ୟ କରିବା ପାଇଁ ଲୋକମାନଙ୍କୁ ସଚେତନ କରାଯାଉଛି ଯଦ୍ୱାରା ସାଇବର ଠକାମୀ ରୁ ସୁରକ୍ଷିତ ରହିବେ।
ଯଦି ଦୁର୍ଭାଗ୍ୟ ବଶତଃ କୌଣସି ସାଇବର ଠକେଇର ଶିକାର ହୁଅନ୍ତି ତେବେ ତୁରନ୍ତ ୧୯୩୦ ରେ କଲ କରି ଅଭିଯୋଗ କରିବା ପାଇଁ ସଚେତନ କରାଯାଉଛି।
ଉକ୍ତ ୱାକାଥନ ଶ୍ରୀଜଗନ୍ନାଥ ମନ୍ଦିର ନିକଟ ରଥ ଖଳା ଠାରେ ଆରମ୍ଭ ହୋଇଥିଲା ଏବଂ ମା ଅମ୍ବିକା ମନ୍ଦିର ନିକଟରେ ସମାପନ ହୋଇଥିଲା। ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏଥିରେ ସାମିଲ ହୋଇ ଅଂଶଗ୍ରହଣକାରିମାନଙ୍କ ସହିତ ଚାଲି ଚାଲି ସହର ପରିକ୍ରମା କରିଥିଲେ ଏବଂ ଲୋକଙ୍କୁ ସାଇବର ଠକାମୀ ଶିକାରରୁ ବର୍ତ୍ତିବା ପାଇଁ ବିଭିନ୍ନ ପ୍ରକାର ସଚେତନତା ବାର୍ତ୍ତା ଦିଆଯାଇଥଲା।

