ଠାକୁରମୁଣ୍ଡା -ହରେକୃଷ୍ଣ ତ୍ରିପାଠୀ-ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ଠାକୁରମୁଣ୍ଡା ବଜାର ମଧ୍ୟରେ ଥିବା ପଶୁ ଚିକିତ୍ସାଳୟ ପାଚେରୀ ନିକଟରେ ଥିବା ଏକ ଶୁଖିଲା ଶିମିଳି ଗଛରେ ବୁଧବାର ରାତି ପ୍ରାୟ ୯ ଟା ସମୟରେ ହଠାତ୍ ନିଆଁ ଲାଗିଯାଇଥିଲା। ଗଛକୁ ଲାଗି ପାଲ ଘୋଡାଇ ଦୋକାନ କରିଥିବା ନାରାୟଣ ପାତ୍ର ଦୋକାନ ପଛପଟକୁ ଅଳିଆ ଫିଙ୍ଗିବା ପାଇଁ ଯାଇଥିବା ବେଳେ ଗଛ ମୂଳରେ ନିଆଁ ଲାଗି ନିଆଁ କୁହୁଳୁ ଥିବା ଦେଖିବାକୁ ପାଇଥିଲେ। ସାଂଗେ ସାଂଗେ ସେ ପାଖ ଦୋକାନୀ ଭାଇମାନଙ୍କୁ ଡାକିଥିଲେ। ଖବର ପାଇ ଆମ ପ୍ରତିନିଧି ଘଟଣା ସ୍ଥଳରେ ପହଞ୍ଚି ଅଗ୍ନିଶମ ବିଭାଗ କୁ ଖବର ଦେଇଥିଲେ। ଖବର ପାଇ ମାତ୍ର ୭ ମିନିଟ ମଧ୍ୟରେ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଫଳରେ ଗଛ ତଳେ ତଥା ଆଖପାଖରେ ଥିବା ଦୋକାନ ସବୁ ନିଶ୍ଚିତ ଏକ ବଡ଼ ଅଘଟଣରୁ ବର୍ତ୍ତି ଯାଇଥିଲା। ତେବେ ପଶୁ ଚିକିତ୍ସାଳୟ ପାଚେରୀ କଡ଼ରେ ଥିବା ସେହି ଶୁଖିଲା ଶିମିଳି ଗଛ ଏବଂ ବଜାର ମଧ୍ୟରେ ଥିବା ପୂର୍ତ ବିଭାଗ ଡାକବଙ୍ଗଳା ମୁଖ୍ୟ ଫାଟକ ନିକଟରେ ଥିବା ଏକ ଶୁଖିଲା ଶିମିଳି ଗଛ ର ମୂଳ ଓ ଆଖପାଖ ରେ ଥିବା ଦୋକାନ ପ୍ରତି ବିପଦ ଥିବାରୁ ପ୍ରଶାସନ ଯଥାଶୀଘ୍ର ସେହି ଗଛ ଗୁଡ଼ିକୁ ସଫା କରିବା ପାଇଁ ଜନସାଧାରଣ ରେ ଦାବି ହେଉଛି।