ବାରିପଦା ୧୦.୧୧.୨୦୨୩

ଆଗାମୀ ଖରିଫ ଋତୁ ପାଇଁ ଆଜି ତା ୧୦.୧୧.୨୦୨୩ ରିଖ ଶୁକ୍ରବାର ଦିନ ମୟୂରଭଞ୍ଜ ଜିଲ୍ଲା ସଦର ମହକୁମା ବାରିପଦା ସ୍ଥିତ ପ୍ରୟାସ ସମ୍ମିଳନୀ କକ୍ଷରେ ଜିଲ୍ଲା ସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଜିଲ୍ଲାପାଳ ବିନୀତ ଭରଦ୍ୱାଜ ଅଧ୍ୟକ୍ଷତା କରିଥିବା ବେଳେ ମୟୂରଭଞ୍ଜ ଜିଲ୍ଲାପରିଷଦ ଅଧ୍ୟକ୍ଷା ଭାରତୀ ହାଁସଦା ସଭାପତିତ୍ବ କରିଥିଲେ। ସୂଚନା ଥାଉକି ଏହି ବୈଠକରେ ଖରିଫ୍ ୨୦୨୩-୨୪ ନିମନ୍ତେ ଧାନ ସଂଗ୍ରହ ପାଇଁ ଆଗାମୀ ଡିସେମ୍ବର ୧୦ ତାରିଖ ଜିଲ୍ଲାପାଳଙ୍କ ଅନୁମୋଦନ କ୍ରମେ ସ୍ଥିର ହେଲା। ଏହି ପରିପ୍ରେକ୍ଷୀରେ ଜିଲ୍ଲାପାଳ ସମସ୍ତ ଉପଜିଲ୍ଲାପାଳ ଏବଂ ଜିଲ୍ଲା ସ୍ତରୀୟ ଅଧିକାରୀ ମାନଙ୍କୁ ଏହି ଧାନ ସଂଗ୍ରହ କାର୍ଯ୍ୟକୁ ସଫଳତାର ସହିତ ସମ୍ପାଦନା କରିବାପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହି ବୈଠକରେ ବାରିପଦା ଉପଜିଲ୍ଲପାଳ ଈଶ୍ୱର ଚନ୍ଦ୍ର ନାୟକ, କପ୍ତିପଦା ଉପଜିଲ୍ଲାପାଳ ସୁଶାନ୍ତ କୁମାର ବାରିକ, ପଞ୍ଚପିର ଉପଜିଲ୍ଲାପାଳ ପ୍ରେମାଂଶୁ ଚାନ୍ଦ, ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ କୃଷ୍ଣ ଚନ୍ଦ୍ର ସେଠୀ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ମାନ୍ୟବର କେନ୍ଦ୍ର ମନ୍ତ୍ରୀ ତଥା ମୟୂରଭଞ୍ଜ ସାଂସଦ ଇଂ. ବିଶ୍ୱେଶ୍ୱର ଟୁଡୁଙ୍କର ପ୍ରତିନିଧି , ବାରିପଦା ବିଧାୟକ ପ୍ରକାଶ ସୋରେନ୍, ରାଇରଙ୍ଗପୁର ବିଧାୟକ ନବ ଚରଣ ମାଝୀ, ମଧ୍ୟ ଉପସ୍ଥିତ ରହି ବୈଠକରେ ଜିଲ୍ଲାର ଏହି ମୁଖ୍ୟ ଆଲୋଚ୍ୟ ପ୍ରସଙ୍ଗ ଉପରେ ନିଜ ନିଜର ମତ ଦେବା ସହିତ ଏହାକୁ ଆହୁରି କିପରି ତ୍ୱରାନ୍ୱିତ କରି ହେବ ସେ ବିଷୟରେ ବିଶଦ ସୂଚନା ଦେଇଥିଲେ। ସୂଚନା ଯୋଗ୍ୟ ଯେ ୨୦୨୩-୨୪ ଖରିଫ୍ ବର୍ଷ ରେ ଜିଲ୍ଲାରେ ସର୍ବମୋଟ୍ ୫୪,୦୫୦ ଜଣ ଧାନ ଉତ୍ପାଦକ ଚାଷୀ ପଞ୍ଜିକରଣ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ୫୪,୦୨୬ ଜଣ ଚାଷୀଙ୍କର ଯାଞ୍ଚ୍ ହୋଇ ରହିଛି। ଏହି ଧାନ ସଂଗ୍ରହ କାର୍ଯ୍ୟକୁ ସଫଳ କରାଇବା ପାଇଁ ପ୍ରତିଟି ଆର୍ ଏମ ସି ର ଅଧ୍ୟକ୍ଷ ଏବଂ ଉପଖଣ୍ଡ ପ୍ରଶାସନ ପକ୍ଷରୁ ସଚେତନତା ଅଭିଯାନ ଆରମ୍ଭ କରାଯିବ ଏବଂ କର୍ମଚାରୀ ଓ ଲୋକ ପ୍ରତିନିଧି ମାନେ ଗାଆଁ ଗାଆଁ ବୁଲି ଚାଷୀ ମାନଙ୍କ ସହିତ ଉତ୍ତମ ଯୋଗା ଯୋଗ କରି ଏହି ସଂଗ୍ରହ କାର୍ଯ୍ୟକୁ ସଫଳ କରିବେ। ଜିଲ୍ଲାପାଳ ଶ୍ରୀଯୁକ୍ତ ଭରଦ୍ୱାଜ ଏହା ମଧ୍ୟ କହିଥିଲେ ଯେ ସମସ୍ତ ଧାନ ସଂଗ୍ରହ ହେଲା ପରେ ତାହାର ୫୦ ପ୍ରତିଶତ ତୁରନ୍ତ ବିକ୍ରି ପାଇଁ ସ୍ଥାନାନ୍ତରଣ ହେବ ଏବଂ ବାକି ସଂଗୃହିତ ଧାନ ଗୁଡ଼ିକର ୨୦ % ଏବଂ ୩୦% ହିସାବ ରେ ଦୁଇଟି ଚରଣରେ ବିକ୍ରି ପାଇଁ ସ୍ଥାନାନ୍ତରଣ ହେବ। ମଣ୍ଡିକୁ ଧାନ ଆସିବାର ଯଥା ସମୟ ପୂର୍ବରୁ ଚାଷୀ ମାନଙ୍କୁ ଟୋକେନ୍ ଦେବାର ବ୍ୟବସ୍ଥା କରାଯିବା ସହିତ ଫାଷ୍ଟ୍ କମ୍ ଫାଷ୍ଟ ପ୍ରିଫରେନ୍ସ ଦ୍ବାରା ଏହି ଧାନ ସଂଗ୍ରହ କରିବା କାର୍ଯ୍ୟ କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। କଳାବଜାରୀ ଏବଂ ଆବଶ୍ୟକୀୟ ଧାନ ପଡୋଶୀ ଜିଲ୍ଲାକୁ ସ୍ଥାନାନ୍ତରଣ ବାବଦରେ ଜିଲ୍ଲାପାଳ କହିଲେ ଯେ ଏହି ସବୁ ବେଆଇନ କାର୍ଯ୍ୟପାଇଁ ଜିଲ୍ଲାର ସମସ୍ତ ସୀମାରେଖା ରେ ପୋଲିସ୍ ମୁତୟନ କରାଯିବ ଏବଂ ଏହାର କଡାକଡି ଯାଞ୍ଚ୍ ହେବ। ଏହି ବୈଠକରେ ଏହା ମଧ୍ୟ ଗୃହୀତ ହେଲା ଯେ ଚାଷୀ ମାନେ ପର୍ଯ୍ୟାବରଣ ର ସୁରକ୍ଷା ଉଦ୍ଦେଶ୍ୟରେ କତ ଯାଇଥିବା ଧାନ ଗୁଡ଼ିକୁ ଝୋଟ ଅଖା ମଧ୍ୟରେ ଆଣି ମଣ୍ଡି ରେ ପ୍ରଦାନ କରିବେ। ସମସ୍ତ ମଣ୍ଡିକୁ ଏକ ଧାର୍ଯ୍ୟ ପରିମାଣ ଦିଆଯିବ ଏବଂ ସମସ୍ତ ମଣ୍ଡି ଉତ୍ତମ ମାନର ଧାନ ସଂଗ୍ରହ କରିବାପାଇଁ ଉଚିତ୍ ପଦକ୍ଷେପ ନେବେ ବୋଲି ଜିଲ୍ଲାପାଳ ଶ୍ରୀଯୁକ୍ତ ଭରଦ୍ୱାଜ ନିର୍ଦ୍ଦେଶ ଦେଇଥିଲେ। ସର୍ବୋପରି ମୟୂରଭଞ୍ଜ ଜିଲ୍ଲାରେ ପ୍ରଥମ ଥର ପାଇଁ ସ୍ଵୟଂ ସହାୟକ ଗୋଷ୍ଠୀ ମହିଳା ମାନେ ଏହି କାର୍ଯ୍ୟ ରେ ଭାଗ ନେଉଥିବାରୁ ସେମାନଙ୍କୁ ଉଚିତ ପ୍ରଶିକ୍ଷଣ ଦେଇ ସାରିବା ପରେ ଏହି କାର୍ଯ୍ୟରେ ନିୟୋଜିତ ହେବା ପାଇଁ କୁହା ଯାଇଥିଲା। ଏହି ବୈଠକର ନିଷ୍ପତି ଏକ ବିବରଣୀ ମାଧ୍ୟମରେ ସମସ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ପ୍ରଦାନ କରାଯିବ ଏବଂ ସମସ୍ତ ଚାଷୀ ମାନଙ୍କୁ ନିଜ ଫସଲକୁ ଯଥରିତିରେ ମଣ୍ଡି ରେ ଆଣି ପହଞ୍ଚାଇବାକୁ ନିଷ୍ପତ୍ତି ନିଆଯାଇଥିବା ର ସୂଚନା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅବିନାଶ ପାଣିଙ୍କ ଠାରୁ ପ୍ରକାଶ।

Leave a Reply

Your email address will not be published. Required fields are marked *