ବାରିପଦା: ୨୫.୧୨.୨୦୨୫-ଆଜି ବାରିପଦା ଠାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ଜୟନ୍ତୀ  ଅବସରରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷ ଠାରେ  ଜିଲ୍ଲା ସ୍ତରୀୟ ସୁଶାସନ ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ  ଇଶ୍ୱର ଚନ୍ଦ୍ର ନାଏକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ପ୍ରସିଦ୍ଧ ସାହିତ୍ୟିକ ପଦ୍ମଶ୍ରୀ  ଦମୟନ୍ତୀ ବେଶ୍ରା ଯୋଗ ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ  ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବିକାଶ ରଞ୍ଜନ ମହାନ୍ତି ଓ ବାରିପଦା ଏସ ଡି ଆଇ.ପି.ଆର.ଓ., ଶିଶିର କୁମାର ମୁଣ୍ଡୁୟା ପ୍ରମୁଖ ମଂଚାସୀନ ଥିଲେ।

କାର୍ଯ୍ୟକ୍ରମ ପ୍ରାରମ୍ଭରେ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ସହିତ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ, ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା। 

ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୟୂରଭଞ୍ଜ ସାହିତ୍ୟ ପରିଷଦର ସଭାପତି ପଦ୍ମନାଭ ସାହୁ, ସମ୍ପାଦକ ମନୋଜ ଦଳବେହେରା, ସମରେନ୍ଦ୍ର ବସାଙ୍କ ସମେତ ପରିଷଦର ଅନ୍ୟାନ୍ୟ ୨୫ ଜଣ  ପ୍ରମୁଖ କବି ଓ କବିୟତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସ୍ମୃତିରେ ସ୍ୱରଚିତ କବିତା  ପାଠ କରିଥିଲେ। ଉକ୍ତ କବିତା ପାଠ ଉତ୍ସବକୁ ସାହିତ୍ୟ ପରିଷଦର ସଦସ୍ୟ  ଡ.ଶଶୀଧର ବିଶ୍ୱାଳ ମଞ୍ଚ ସଂଯୋଜନା କରିଥିଲେ।
ଏହି ଅବସରରେ ନିଜ ଅବିଭାଷଣରେ ମୁଖ୍ୟବକ୍ତା ପଦ୍ମଶ୍ରୀ ପ୍ରଫେସର ବେଶ୍ରା ଅଟଳ ଜୀଙ୍କୁ ଯୁଗନାୟକ ବୋଲି କହିଥିଲେ। ସେ କହିଥିଲେଯେ ଭାରତୀୟ ଇତିହାସରେ ସୁଶାସନର ଜଣେ ପ୍ରବୀଣ ବ୍ୟକ୍ତି ଭାବରେ ଜଣାଶୁଣା ଥିଲେ ଅଟଳ ବିହାରୀ ବାଜପେୟୀ। କେବଳ ଜଣେ ଉଦାରବାଦୀ ରାଜନୀତିଜ୍ଞ ନଥିଲେ, ଜଣେ କବି, ସମାଜସେବୀ, ସୁଲେଖକ, ବାଗ୍ମୀ ଭାବରେ ସମସ୍ତେ ତାଙ୍କୁ ଜାଣନ୍ତି। କୃଷି, ବିଜ୍ଞାନ, ଜାତୀୟ ରାଜପଥର ଉନ୍ନତୀକରଣ ସ୍ବର୍ଣ୍ଣ ଚତୁର୍ଭୁଜ ର ପରିକଳ୍ପନା ତଥା ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ଆଦି ଅନେକ କ୍ଷେତ୍ରରେ ବାଜପେୟୀଙ୍କ ଅବଦାନ ଅତୁଳନୀୟ।  ବାଜପେୟୀ ଜଣେ ରାଜନେତା ସହ ଜଣେ ଭଲ କବି ମଧ୍ୟ ଥିଲେ। ସଂସଦରେ ଅନେକ ଥର ସେ କବିତା ମାଧ୍ୟମରେ ନିଜ ବୟାନ ରଖିଛନ୍ତି।  ଅଟଳ ବିହାରୀ ବାଜପେୟୀ ଲାଲାବାହାଦୁର ଶାସ୍ତ୍ରୀଙ୍କ ‘ଜୟ ଯବାନ, ଜୟ କିଷାନ’ ସ୍ଲୋଗାନରେ ‘ଜୟ ବିଜ୍ଞାନ’ ଯୋଡ଼ି ସ୍ଲୋଗାନକୁ ଆହୁରି ଲୋକାଭିମୁଖୀ କରିଥିଲେ ବୋଲି  କହିଥିଲେ।

ନିଜ ବକ୍ତବ୍ୟରେ, ମୁଖ୍ୟ ଅତିଥି ତଥା ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନାଏକ ସୁଶାସନ ଦିବସର ମହତ୍ୱ ରଖିବା ସହିତ, ଶାସନ ଓ ସୁଶାସନ ବିଷୟରେ ଉପସ୍ଥିତ ଜନସାଧାରଣଙ୍କୁ ଉଦବୋଧନ ଦେଇଥିଲେ। ପୋଖରାନଠାରେ ପରମାଣୁ ପରୀକ୍ଷଣ  ସାରା ବିଶ୍ଵରେ ଭାରତକୁ ଏକ ପରମାଣୁ ଶକ୍ତିଯୁକ୍ତ ରାଷ୍ଟ୍ରରେ ପରିଗଣିତ କରାଇବା ପାଇଁ ଅଟଳଜୀଙ୍କ ଭୂମିକା ଅତୀବ ଗୁରୁତ୍ୱପୂର୍ଣ୍ଣ ବୋଲି  କହିଥିଲେ। ବର୍ତ୍ତମାନ ସମୟରେ ଶାସନକୁ ଗ୍ରାମ୍ୟ ଅଭିମୁଖୀ କରାଇ କିପରି ଲୋକ ମାନଙ୍କ ପାଖରେ ସହଜରେ ପହଞ୍ଚାଇହେବ ଏବଂ ଜନ ଅଭିଯୋଗର ତ୍ୱରିତ ସମାଧାନ କରାଯିବ ସେଥିପାଇଁ ସରକାରୀ ସ୍ତରରେ ସବୁ ପ୍ରକାର ଉଦ୍ୟମ କରାଯାଉଛି।ଏହା ଫଳରେ ସମାଜରେ ଜନକଲ୍ୟାଣକାରୀ ଯୋଜନାରେ ଅନ୍ତର୍ଭୁକ୍ତ ହେବାକୁ ଥିବା ଧାଡିର ଶେଷ ଲୋକଟି ପାଖରେ ସରକାରଙ୍କ ସମସ୍ତ ଯୋଜନା ପହଂଚି ପାରିବ ଏବଂ ଯୋଜନାର ସଫଳ ରୂପାୟନ ହୋଇପାରିବ ବୋଲି କହିଥିଲେ।

ଏହି ଅବସରରେ ପ୍ରଶାସନ ପକ୍ଷରୁ  ସୁଶାସନ ଦିବସ ବା ଗୁଡ଼ ଗଭର୍ଣ୍ଣାନ୍ସ ଡେ ବିଷୟବସ୍ତୁ ଉପରେ ଆଧାରିତ ବକ୍ତୃତା ପ୍ରତିଯୋଗିତାର କୃତୀ ଛାତ୍ର ଛାତ୍ରୀଙ୍କୁ ଅତିଥି ବୃନ୍ଦ ପୁରସ୍କୃତ କରିଥିଲେ।

କାର୍ଯ୍ୟକ୍ରମରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବିକାଶ ରଞ୍ଜନ ମହାନ୍ତି ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିବା ବେଳେ ବାରିପଦା ଏସ ଡି ଆଇ.ପି.ଆର.ଓ. ଶିଶିର କୁମାର ମୁଣ୍ଡୁୟା ଧନ୍ୟବାଦ ଅର୍ପଣ କରିଥିଲେ ଏବଂ କାର୍ଯ୍ୟାଳୟର କର୍ମଚାରୀ ଶ୍ରୀକାନ୍ତ ବେହେରା, ସୁନିତା ମହାପାତ୍ର, ଲଳିତ ରଞ୍ଜନ ନାଏକ, ଛିଟା ସୋରେନ,ରବି ନାଏକ, ଲିଜତ ପ୍ରଧାନ ଓ ଛୋଟରାୟ ସିଂ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *