ବାରିପଦା ତା ୧୩-୦୯-୨୦୨୫ ରିଖ

ବାରିପଦା ଠାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ମହାତ୍ମା ଗାନ୍ଧୀ ସମ୍ମିଳନୀ କକ୍ଷରେ ମାନ୍ୟବର ମନ୍ତ୍ରୀ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ତଥା ସାଧାରଣ ଉଦ୍ୟୋଗ ବିଭାଗ, ଡା. କୃଷ୍ଣଚନ୍ଦ୍ର ମହାପାତ୍ର ଜିଲ୍ଲାର ବିଭିନ୍ନ ପ୍ରକାର ଅପରାଧ ଓ ଆଇନ ଶୃଙ୍ଖଳା ପରିସ୍ଥିତିର ସମୀକ୍ଷା କରିଥିଲେ।
ଉକ୍ତ ସମୀକ୍ଷା ବୈଠକରେ ମାନ୍ୟବର ବିଧାୟକ ବାରିପଦା, ପ୍ରକଶ ସୋରେନ, ଜିଲ୍ଲାପାଳ ହେମକାନ୍ତ ସୟ, ପୂର୍ବାଞ୍ଚଳ ପୋଲିସ ଡି ଆଇ ଜି ପିନାକ ମିଶ୍ର, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବରୁଣ ଗୁଣ୍ଟୁପାଲ୍ଲି, ଅତିରିକ୍ତ ଜିଲ୍ଲାପାଳ ନେତ୍ରା ନନ୍ଦ ମଲ୍ଲିକ, ବାରିପଦା ଉପଜିଲ୍ଲାପାଳ ଡ଼. ଦୟାସିନ୍ଧୁ ପରିଡା, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଗୌତମ କିଷାନ, ଦୀପକ କୁମାର ଗୋଛାୟତ, ସବିତା ମାଝୀ, ଅବକାରୀ ଅଧିକ୍ଷକ ପ୍ରଶାନ୍ତ କୁମାର କହଁର,ବିଭିନ୍ନ ଥାନା ଅଧିକାରୀ, ଉପଖଣ୍ଡ ଆରକ୍ଷୀ ଅଧିକାରୀ ଓ ରଜନୀ କାନ୍ତ ବିଶ୍ୱାଳ ପ୍ରମୁଖ ଯୋଗ ଦେଇଥିଲେ।

ଏହି ଅବସରରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜିଲ୍ଳାରେ ଚଳିତ ବର୍ଷ ବର୍ତମାନ ସୁଦ୍ଧା ବିଭିନ୍ନ ପ୍ରକାର ଅପରାଧ ଓ ଆଇନ ଶୃଙ୍ଖଳା ପରିସ୍ଥିତି ବିଷୟରେ ଏକ ବିସ୍ତୃତ ବିବରଣୀ ମନ୍ତ୍ରୀଙ୍କ ଅବଗତି ନିମନ୍ତେ ଉପସ୍ଥାପନ କରିଥିଲେ ଏବଂ ଅପରାଧ ହାର ହ୍ରାସ ତଥା ଆଇନ ଶୃଙ୍ଖଳା ପରିସ୍ଥିତି ଉପଯୁକ୍ତ ବଜାୟ ରଖିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ପ କି କି ପଦକ୍ଷେପ ନିଆଯାଉଛି ସେ ବିଷୟରେ ଅବଗତ କରାଇବା ସହ ଜିଲ୍ଲାରେ ପୋଲିସ ପ୍ରଶାସନର ସୁଗମ ତଥା ଅଧିକ କ୍ରିୟାଶୀଳ କରିବା ପାଇଁ ଆଉ କଣ କଣ ସାଧନର ଅବଶ୍ୟକତା ଅଛି ସେ ବିଷୟରେ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

ଏହି ସମୀକ୍ଷା ଅବସରରେ ମାନ୍ୟବର ମନ୍ତ୍ରୀ ବିଶେଷ କରି ବିଭିନ୍ନ ପ୍ରକାର ହତ୍ୟା, ଚୋରି, ରାହାଜାନି, ଛିନତାଇ, ଠକେଇ,ପ୍ରତାରଣା, ଅପହରଣ,ବ୍ରାଉନ ସୁଗାର, ଚରସ, ଗଂଜେଇ, କଫ ସିରାପ ତଥା ବେଆଇନ ଦେଶୀ ମହୁଲି ମଦ, ବିଷlକ୍ତ ମଦ ଓ ଗୁଟଖା, ଜର୍ଦା ଇତ୍ୟାଦି ନିଶା ଦ୍ରବ୍ୟ କାରବାର, ଯୌତୁକ ଜନିତ ଅତ୍ୟାଚାର -ହତ୍ୟା, ବେଆଇନ ଯୁବତୀ/ମହିଳା ଚୋରା ଚାଲାଣ, ଘରୋଇ ହିଂସା ଜନିତ ହତ୍ୟା, ଜମିଜମା ବିବାଦ ଜନିତ ହତ୍ୟା, ବାଲି, ମୋରମ ଇତ୍ୟାଦି ଲଘୁ ଖଣିଜ ଦ୍ରବ୍ୟର ଚୋରା ଚାଲାଣ, ବେଆଇନ ଶ୍ରମିକ ଚାଲାଣ, ବେଆଇନ ଭାବେ ଅସ୍ତ୍ରଶସ୍ତ୍ର ରଖିବା, ଗୋ ମାଂସ ବିକ୍ରି, ଗୋ ହତ୍ୟା ଓ ଗୋ ଚାଲାଣ, ମଦ୍ୟ ପାନ ଜନିତ ସଡ଼କ ଦୁର୍ଘଟଣା, ଟ୍ରାଫିକ ନିୟମ ଅବମାନନା ଜନିତ ମୃତ୍ୟୁ, ସାଇବର ଠକେଇ ଇତ୍ୟାଦି ଉପରେ ପୁଙ୍ଖାନୁପୁଙ୍ଖ ଭାବେ ସମୀକ୍ଷା କରିଥିଲେ।

ସମୀକ୍ଷା ପରେ ମାନ୍ୟବର ମନ୍ତ୍ରୀ କହିଥିଲେ ଯେ ମୟୂରଭଞ୍ଜ ଏକ ଶାନ୍ତିପ୍ରିୟ ଜିଲ୍ଲା। ମାତ୍ର ସମୟର ପରିବର୍ତ୍ତନ ଧାରାରେ ବର୍ତମାନ ବିଭିନ୍ନ ପ୍ରକାର ଅପରାଧ ଦୃଷ୍ଟିକୁ ଆସୁଛି। ତେଣୁ ଅପରାଧକୁ ରୋକିବା ପାଇଁ ଅଧିକ ଜାଗ୍ରତ ହେବାକୁ ପଡିବ ଏବଂ ପ୍ରବର୍ତ୍ତନକୁ ଅଧିକ ସକ୍ରିୟ କରିବାକୁ ପଡିବ। ଯେପରିକି ବିଷlକ୍ତ ମଦ କାରବାରକୁ ରୋକିବା ପାଇଁ ଅବକାରୀ ଓ ପୋଲିସ ମିଳିତ ଭାବେ ନିୟମିତ ବ୍ୟବଧାନରେ ଅଚାନକ ଚଢ଼ାଉ କରିବାର ଆବଶ୍ୟକତା ରହିଛି, ସେହିପରି ଟ୍ରାଫିକ ନିୟମକୁ କଡାକଡି ଭାବେ କାର୍ଯ୍ୟକାରିତା ପାଇଁ ପୋଲିସ, ଅବକାରୀ ଓ ପରିବହନ ବିଭାଗ ଅଧିକାରୀ ମାନେ ମିଳିତ ଭାବେ ଉଦ୍ୟମ କରିବା ଉଚିତ। ଏମିତି କିଛି କିଛି ଅପରାଧ ରହିଛି ଯାହାକି କେବଳ ପୋଲିସ ବିଭାଗ ଦ୍ୱାରା ରୋକା ଯାଇ ପାରିବ ନାହିଁ। ପୋଲିସ ବିଭାଗ ସହିତ ଅନ୍ୟ ବିଭାଗର ସମନ୍ୱୟରେ ରୋକାଯାଇ ପାରିବ। ଏହି ଅବସରରେ ମନ୍ତ୍ରୀ ସରକାରୀ ଜମି ଜବରଦଖଲ ଉଛେଦ ଉପରେ ଅଗ୍ରାଧିକାର ଗୁରୁତ୍ୱ ଦେବା ପାଇଁ ପରାମର୍ଶ ଦେଇଥିଲେ।

ଏହି ଅବସରରେ ମନ୍ତ୍ରୀ ଜିଲ୍ଳାରେ ଅପରାଧ ହାର କମାଇବା ତଥା ଆଇନ ଶୃଙ୍ଖଳା ପରିସ୍ଥିତିକୁ ଉପଯୁକ୍ତ ଭାବେ ବଜାୟ ରଖିବା ପାଇଁ ପୋଲିସ ବ୍ୟବସ୍ଥାକୁ ଅଧିକ କ୍ରିୟାଶୀଳ କରିବା ଦିଗରେ ଅଧିକ ଭିତ୍ତିଭୂମି ଯୋଗାଇବା, ପେଟ୍ରୋଲିଙ୍ଗ ପାଇଁ ଯାନ, ଅପରାଧ ନିୟନ୍ତ୍ରଣ ପାଇଁ ସି ସି ଟିଭି ଇତ୍ୟାଦିର ବ୍ୟବସ୍ଥା ପାଇଁ ଉଦ୍ୟମ କରିବେ ବୋଲି ପ୍ରକାଶ କରିଥିଲେ।

ଶେଷରେ ସମସ୍ତ ଅଧିକାରୀ ମାନଙ୍କୁ ନିଜ ନିଜର ଦାୟିତ୍ୱ ସୁଚାରୁ ରୂପେ ସମ୍ପାଦନ କରିବା ସହ କାର୍ଯ୍ୟ ନିର୍ବାହରେ ସ୍ୱଚ୍ଛତା ଓ ନିରପେକ୍ଷତା ଅବଲମ୍ବନ କରିବା ପାଇଁ ପରାମର୍ଶ ଦେବା ସହ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ।

Leave a Reply

Your email address will not be published. Required fields are marked *