ବାରିପଦା-

ତା ୨୦.୧୦.୨୦୨୩- ରିଖ ସୋମବାର ଦିନ ଦୁଇ ଦିନିଆ ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଆସିଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସୂଚନା ଅନୁଯାୟୀ, ରାଷ୍ଟ୍ରପତି ଶ୍ରୀମତି ମୁର୍ମୂ ସ୍ଵତନ୍ତ୍ର ବିମାନରେ ଆସି ପଶ୍ଚିମ ବଙ୍ଗ ସ୍ଥିତ କଳେଇକୁଣ୍ଡା ଏୟାରପୋର୍ଟ ରେ ଅବତରଣ କରିଥିଲେ। ! ସେଠାରୁ ହେଲିକପ୍ଟର ଯୋଗେ ରାଷ୍ଟ୍ରପତି ମୁର୍ମୁ, ବାରିପଦା ହେଲିପ୍ୟାଡ ଠାରେ ପହଞ୍ଚି ଥିଲେ ! ସେଠାରୁ ସହିଦ୍ ସ୍ମୃତି ଭବନ ଅଭିମୁଖେ ଯାତ୍ରା କରିଥିଲେ। ସହିଦ୍ ସ୍ମୃତି ଭବନରେ ଆୟୋଜିତ ସର୍ବଭାରତୀୟ ସାନ୍ତାଳୀ ଲେଖକ ସଂଗଠନ ଦ୍ଵାରା ଆୟୋଜିତ ୩୭ ତମ ଉଦ୍ଘାଟନୀ କାର୍ଯ୍ୟକ୍ରମ ତଥା ସମ୍ମିଳନୀ ଏବଂ ସାହିତ୍ୟିକ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଥିଲେ। ରାଷ୍ଟ୍ରପତିଙ୍କୁ ସେହି ସ୍ଥାନରେ ସାଗତ କରାଯାଇ ମଞ୍ଚ ପର୍ଯ୍ୟନ୍ତ ପାଛୋଟି ନିଆଯାଇଥିଲା। ପ୍ରଥମେ ଜାତୀୟ ସଙ୍ଗୀତ ଗାନ ପରେ, ଉକ୍ତ ଉତ୍ସବରେ,ରାଷ୍ଟ୍ରପତି ମୁର୍ମୁ ପ୍ରଦୀପ ପ୍ରଜ୍ବଳନ କରି ଏବଂ ସାନ୍ତାଳୀ ଭାଷାର ଯୋଗଜନ୍ମା ମହାପୁରୁଷ ମାନେ ଯଥା ପଣ୍ଡିତ ରଘୁନାଥ ମୁର୍ମୁ, ମାଝୀ ରାମଦାସ ଟୁଡୁ, ସାଧୁ ରାମଚାନ୍ଦ ମୁର୍ମୁ ଙ୍କ ଫଟୋ ଚିତ୍ର ରେ ମାଲ୍ୟାର୍ପଣ ଏବଂ ପୁଷ୍ପ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ତତ୍ସହିତ ମଞ୍ଚାସିନ ସମସ୍ତ ଅତିଥିଙ୍କୁ ଆୟୋଜକ ମାନଙ୍କ ଦ୍ଵାରା ସ୍ଵାଗତ ସମ୍ବର୍ଦ୍ଧନା କରା ଯାଇଥିଲା। ଏହି କାର୍ଯ୍ୟକ୍ରମ ଆରମ୍ଭରେ ଡଃ ଦମୟନ୍ତୀ ବେଶ୍ରା,, ଆୟୋଜନ କମିଟି ଙ୍କ ଦ୍ଵାରା ସ୍ବାଗତ ଭାଷଣ ପ୍ରଦାନ କରାଯାଇଥିଲା। ଏହି ଅବସରରେ ଆୟୋଜିତ ସମ୍ମିଳନୀ ଏବଂ ସାହିତ୍ୟିକ ଉତ୍ସବର ସ୍ମରଣିକା, ଓଡ଼ିଶାର ରାଜ୍ୟପାଳ ରଘୁବର ଦାସ ଉନ୍ମୋଚନ କରି ଏହାର ପ୍ରଥମ ପ୍ରକାଶନ ରାଷ୍ଟ୍ରପତି ଙ୍କୁ ପ୍ରଦାନ କରିଥିଲେ। ଏହା ପରେ, ସର୍ବଭାରତୀୟ ସାନ୍ତାଳୀ ଲେଖକ ସଂଗଠନର ସଭାପତି ଶ୍ରୀଯୁକ୍ତ ଲକ୍ଷ୍ମଣ କିସ୍କୁ ରାଷ୍ଟ୍ରପତି ଙ୍କୁ ୩ଟି ନୂତନ ସାନ୍ତାଳୀ ଭାଷାର ପୁସ୍ତକ ମାନଙ୍କ ନାମ ଯଥା, ବିଦୁ ଚନ୍ଦନ, ଖେରୱାଲ ବୋନ୍ସୋ ଧରମ୍ ପୁଥି, ଲିତା ଗୋଦେଟ୍ ପ୍ରଦାନ କରିଥିଲେ। ଏହି ଉତ୍ସବରେ ମାନ୍ୟବର ସାଂସଦ, ଝାଡଗ୍ରାମ, ପଶ୍ଚିମ ବଙ୍ଗ, କୁନାର ହେମ୍ବ୍ରମ୍, ମାନ୍ୟବର କେନ୍ଦ୍ରମନ୍ତ୍ରୀ ଜଳଶକ୍ତି ତଥା ଆଦିବାସୀ ବ୍ୟାପାର, ଈଂ ବିଶ୍ଵେଶ୍ୱର ଟୁଡୁ, ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ତଥା ରାଜସ୍ବ ମନ୍ତ୍ରୀ ସୁଦାମ ମାର୍ଣ୍ଡି, ମାନ୍ୟବର ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ମନ୍ତ୍ରୀ, ଜଗନ୍ନାଥ ସାରକା ପ୍ରମୁଖ ଏହି ସଭାରେ ବିଶିଷ୍ଟ ସମ୍ମାନୀୟ ଅତିଥି ଭାବେ ଯୋଗଦେଇଥିଲେ।

ଏହି ଆୟୋଜିତ ସଭା ରେ ସମସ୍ତ ଅତିଥି ବିଶେଷକରି ମହାମହିମ ରାଷ୍ଟ୍ରପତି ମଧ୍ୟ ନିଜ ଉଦବୋଧନ ସାନ୍ତାଳୀ ଭାଷାରେ ଦେଇଥିଲେ। ନିଜ ବକ୍ତବ୍ୟ ରେ ରାଷ୍ଟ୍ରପତି କହିଥିଲେ ଯେ ସାନ୍ତାଳୀ ଭାଷାର ବିକାଶ, ପ୍ରଚାରପ୍ରସାର ଓ ସାହିତ୍ୟ ସୃଷ୍ଟି ଅନେକ ଲେଖକ ଓ ବିଦ୍ୱାନମାନଙ୍କ ଦ୍ୱାରା କରାଯାଇଆସୁଛି । ଏ କ୍ଷେତ୍ରରେ ନିଜନିଜ ସାମର୍ଥ୍ୟ ଅନୁଯାୟୀ ନିଜର ଅବଦାନ ଦେଇଥିବା ଲେଖକ-ଲେଖିକା ଓ ଗବେଷକମାନଙ୍କୁ ମୁଁ ଆନ୍ତରିକ ସାଧୁବାଦ ଜଣାଉଛି । ଏଥିରେ ମୋର ମଧ୍ୟ କିଛି ଭୂମିକା ରହିଛି ।
“ମୁଁ ଓଡ଼ିଶା ସରକାରରେ ମନ୍ତ୍ରୀ ଥିବା ସମୟରେ ସାନ୍ତାଳୀ ଭାଷାକୁ ସମ୍ବିଧାନରେ ସ୍ଥାନିତ କରିବା ପାଇଁ ଉଦ୍ୟମ କରିଥିଲି । ସେତେବେଳେ ସମ୍ମାନାସ୍ପଦ ଜନନେତା ଓ ଦରଦୀ କବି ଅଟଳ ବିହାରୀ ବାଜପେୟୀ ଭାରତର ପ୍ରଧାନମନ୍ତ୍ରୀ ଥିଲେ । ତାଙ୍କ ଆଶୀର୍ବାଦ ଯୋଗୁଁ 2003 ମସିହା ଡିସେମ୍ବର ମାସ 22 ତାରିଖରେ, ଏହି ଭାଷା ସମ୍ବିଧାନର ଅଷ୍ଟମ ଅନୁସୂଚୀରେ ଅନ୍ତର୍ଭୁକ୍ତ ହୋଇଛି । ପରବର୍ତ୍ତୀ ସମୟରେ ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ଏହି ଭାଷାର ପ୍ରଚଳନ ବ୍ୟାପକ ହୋଇଛି । ଏହି ଅବସରରେ ମୁଁ ଶ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ଗଭୀର ସମ୍ମାନ ଜଣାଉଛି,” ସେ କହିଥିଲେ।

ନିଜ ଅଭିଭାଷଣରେ ରାଷ୍ଟ୍ରପତି କହିଥିଲେ,”ସାନ୍ତାଳୀ ଭାଷାର ପ୍ରଚାରପ୍ରସାର କରିବା ପାଇଁ All India Santali Writers’ Association 1988 ମସିହାରେ ଗଠିତ ହୋଇଥିଲା ବୋଲି ମୁଁ ଜାଣିବାକୁ ପାଇଲି । ଏହି ଅନୁଷ୍ଠାନ ସାନ୍ତାଳୀ ଭାଷାଭାଷୀ ଅଞ୍ଚଳର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ସାରସ୍ୱତ କାର୍ଯ୍ୟକ୍ରମମାନ ଆୟୋଜନ କରିଆସୁଥିବା ଜାଣି ମୁଁ ଖୁସି ହେଲି । ଆଗରୁ ମଧ୍ୟ ମୁଁ ଆପଣମାନଙ୍କର ଏକାଧିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ଖୁସି ଅନୁଭବ କରିଛି । ସେହି କ୍ରମରେ ଆଜି ମଧ୍ୟ ଏଠାରେ ଏହି ଉତ୍ସବର ଆୟୋଜନ କରାଯାଇଅଛି । ଆପଣଙ୍କର ଏହି ପ୍ରୟାସକୁ ମୁଁ ପ୍ରଶଂସା କରୁଛି ଏବଂ ଆପଣମାନେ ଏହିପରି କାର୍ଯ୍ୟକ୍ରମ ଅବ୍ୟାହତ ରଖିବେ ବୋଲି ଆଶା କରୁଛି ।” ଇତ୍ୟବସରରେ ଓଡ଼ିଶାର ରାଜ୍ୟପାଳ ରଘୁବର ଦାସ ନିଜ ବକ୍ତବ୍ୟ ରେ କହିଥିଲେ ଯେ ଆଜି ସାନ୍ତାଳୀ ଭାଷା ଯେଉଁ ସ୍ତରକୁ ପହଞ୍ଚି ପାରିଛି ସେଥିପାଇଁ ଏହି ଆଦିବାସୀ ମାଟି ଆଜି ଗର୍ବିତ ଏବଂ ଏହି ଭାଷାର ଓଲଚିକି ଲିପି ଆଜି ବିଶ୍ଵ ବିଦିତ। ଏହି କାର୍ଯ୍ୟକ୍ରମକୁ ସଫଳ କରାଇବା ପାଇଁ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ, ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିବା ବେଳେ ଏହି କାର୍ଯ୍ୟକ୍ରମର ପ୍ରଚାର ଓ ପ୍ରସାରଣ ପାଇଁ ରାଜ୍ୟ ସରକାର ଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗ ନିଜ ଦାୟିତ୍ଵ ବହନ କରିଛନ୍ତି।

Leave a Reply

Your email address will not be published. Required fields are marked *