ବାରିପଦା -ତା -11/02/2023 -ସ୍ଥାନୀୟ ଛଉ ପଡିଆରେ ଓଡିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଆନୁକୂଲ୍ୟରେ ତଥା ଜିଲ୍ଲା ପ୍ରଶାସନ ଓ ଜିଲ୍ଲା କୃଷି ବିଭାଗର ମିଳିତ ସହଯୋଗରେ ଆୟୋଜିତ ଆଞ୍ଚଳିକ କୃଷି ମେଳା ଅବସରରେ ପ୍ରତ୍ୟେକ ଦିନ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି I ମୟୁରଭଞ୍ଜ ଛଉ ନୃତ୍ୟ ପ୍ରତିଷ୍ଠାନ, ମୁଗୁନି ସିଂ ଓ ସାଥୀଙ୍କ ଆଦିବାସୀ ନୃତ୍ୟ, ହରିହର କଳା ମନ୍ଦିରର ଓଡିଶୀ, ଝିଲିରାଣୀ ଝୁମର ମେଲୋଡିର ଝୁମର, ଲାଶ୍ୟକଳା ଡ୍ୟାନ୍ସ ଭିଜନର ଉତ୍କଳ ଗାଥା ନୃତ୍ୟ, ପୂର୍ଣ୍ଣଚନ୍ଦ୍ର ପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର କୃଷି ଭିତ୍ତିକ ଓ ଦେଶାତ୍ମବୋଧକ ନୃତ୍ୟ, ଏମ ଟି କେ ସରକାରୀ ଉଚ୍ଚ ପ୍ରାଥମିକର ଛାତ୍ରୀଙ୍କ ବିହୁ ଓ ଲାଭନି ନୃତ୍ୟ, ରାଧାରାଣୀ ଓ ଦୟାଭାଇ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସ୍ୱଚ୍ଛ ଭାରତ ନୃତ୍ୟ, ତୁଳସୀଚଉରା କଲୋନୀ ସାହି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର କୃଷି ଭିତ୍ତିକ ନୃତ୍ୟ, ନଂ ୱାନ ଡ୍ୟାନ୍ସ ଗ୍ରୁପ ଓ ଅନଲି ୱାନ ଡ୍ୟାନ୍ସ ଗ୍ରୁପର ଆକର୍ଷଣୀୟ ଗ୍ରୁପ ଡ୍ୟାନ୍ସ ଓ ବାଲେଶ୍ୱରର କଳାକାରଙ୍କ ଦ୍ୱାରା ପରିବେଷିତ ଚଡ଼ିଆ ଓ ଚଡିଆଣି ନାଚ ଦର୍ଶକଙ୍କ ମନ ମୋହି ଥିଲା I ତିନି ଦିନ ଧରି ସୋମନାଥ ସିଂହଙ୍କ ଉଚ୍ଚ କୋଟିର ମଞ୍ଚ ପରିଚାଳନା ବେଶ ଆକର୍ଷଣୀୟ ହୋଇଥିଲା I ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଜିଲ୍ଲା ପରିଷଦ ସଭାପତି ଭାରତୀ ହାଁସଦାଙ୍କ ହାତରେ ଶ୍ରୀ ସିଂହଙ୍କୁ ବିଭାଗ ତରଫରୁ ସ୍ୱତନ୍ତ୍ର ଭାବେ ପୁରସ୍କୃତ କରାଯାଇଛି I ଅନ୍ୟ ମାନଙ୍କ ମଧ୍ୟରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଦେବାଶିଷ ମାରାଣ୍ଡି ଓ କୃଷି ଓ ଶିଳ୍ପ ନିଗମ ଅଧ୍ୟକ୍ଷ ଦେବାଶିଷ ମହାନ୍ତି ଓ କୃଷି ବିଭାଗର ପଦାଧିକାରୀଗଣ ଉପସ୍ଥିତ ଥିଲେ I ନିକଟ ଅତୀତରେ ମଧ୍ୟ ଓଡିଶା ସାମ୍ବାଦିକ ସଙ୍ଘ ତରଫରୁ ସମାଜସେବା ଓ ଉତ୍କର୍ଷ ମଞ୍ଚ ପରିଚାଳନା ପାଇଁ ଶ୍ରୀ ସିଂହଙ୍କୁ ସମ୍ମାନିତ କରାଯାଇଥିଲା I

Leave a Reply

Your email address will not be published. Required fields are marked *