ବାରିପଦା :ତା-1/11/2025-
ଓଡିଶା ସରକାରଙ୍କ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର କମିଶନର ତଥା ସଚିବ ଭୂପେନ୍ଦ୍ର ସିଂ ପୁନିଆ, ଏବଂ ବିଭାଗର ଅତିରିକ୍ତ ସଚିବ ବିଶ୍ୱ ରଞ୍ଜନ ରଥ, ଦୁଇ ଦିନିଆ ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଆସି ଗତକାଲି ଅପରାହ୍ନରେ କପ୍ତିପଦା ସରକାରୀ ଆଇ ଟି ଆଇ ପରିଦର୍ଶନ କରିଥିଲେ। ଏହି ଅବସରରେ ସେ ଛାତ୍ର ଛାତ୍ରୀ ଙ୍କ ସହ ବାର୍ତ୍ତାଳାପ ଜରିଆରେ ସେମାନଙ୍କ ସୁବିଧା ଅସୁବିଧା ବିଷୟରେ ପଚାରି ବୁଝିଥିଲେ ଓ ସମାଧାନ ଦିଗରେ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ଏହାପରେ ସେଠାରୁ ଟିକରପଡା ସ୍ଥିତ ସରକାରୀ ପଲିଟେକନିକ କୁ ପରିଦର୍ଶନ ରେ ଯାଇ ସେଠାରେ ଶିକ୍ଷାର୍ଥୀଙ୍କ ସହ ଭାବବିନିମୟ କରିବା ସହ ଅନୁଷ୍ଠାନର ବର୍ତ୍ତମାନ ସ୍ଥିତିର ସମୀକ୍ଷା କରିଥିଲେ। ଏହି ଅବସରରେ ସେଠାରେ ଅମିଗସ ସୋଲ୍ୟୁସନ ପ୍ରାଇଭେଟ ଲିମିଟେଡ଼ ଦ୍ୱାରା ସ୍ୱଳ୍ପ ସମୟ ନିଯୁକ୍ତି ଭିତ୍ତିକ ତାଲିମ ପ୍ରଦାନ କେନ୍ଦ୍ରକୁ ବୁଲି ଦେଖିଥିଲେ ଏବଂ ଏଥିରେ ପ୍ରଶିକ୍ଷଣ ପ୍ରକ୍ରିୟାକୁ କିପରି ଉନ୍ନତ ଭାବେ ଅଧିକ କ୍ରିୟାଶୀଳ କରିହେବ ଯଦ୍ୱାରା ପ୍ରଶିକ୍ଷାର୍ଥି ମାନଙ୍କ ଦକ୍ଷତାରେ ବିକାଶ ହୋଇ ପାରିବ ସେ ବିଷୟରେ ଉକ୍ତ ସଂସ୍ଥାର କର୍ମକର୍ତ୍ତାଙ୍କ ସହିତ ଆଲୋଚନା କରିଥିଲେ। ଏହାପରେ ବାରିପଦା ସ୍ଥିତ ସର୍ବ ପୁରାତନ ପୂର୍ଣ୍ଣ ଚନ୍ଦ୍ର ଆଇ ଟି ଆଇ ପରିଦର୍ଶନରେ ଯାଇ ପ୍ରଥମେ ମହାରାଜାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ସେଠାରେ ପ୍ରଶିକ୍ଷାର୍ଥୀଙ୍କ ସହ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ସହ ସେମାନଙ୍କର ସୁବିଧା ଅସୁବିଧା ବିଷୟରେ ପଚାରି ବୁଝିଥିଲେ। ଏହାପରେ ତକତପୁର ସ୍ଥିତ TTI(ବୈଷୟିକ ତାଲିମ ଅନୁଷ୍ଠାନ)କୁ ଯାଇ ପ୍ରଶିକ୍ଷାର୍ଥୀଙ୍କ ସହିତ ଆଲୋଚନା କରିବା ସହ ସି ଏମ ସି ଏବଂ ୱେଲଡିଂ ଲେବ ଇତ୍ୟାଦି ପରିଦର୍ଶନ କରିଥିଲେ। ଏ ସମସ୍ତ ଅନୁଷ୍ଠାନ ଗୁଡିକ ପରିଦର୍ଶନ ପରେ ଅନୁଷ୍ଠାନ ଗୁଡିକର ବିଭିନ୍ନ ପ୍ରସଙ୍ଗ ଉପରେ ସମୀକ୍ଷା କରି ସମସ୍ତ ଅନୁଷ୍ଠାନରେ ସିଟ ସଂଖ୍ୟା ଦ୍ବିଗୁଣିତ କରିବା, ଯେଉଁ ପୁରାତନ ଟ୍ରେଡ଼ ଗୁଡିକର ବର୍ତ୍ତମାନ ସମୟରେ ଚାହିଦା ନାହିଁ, ସେଗୁଡିକ ବନ୍ଦ କରି ଚାହିଦା ଥିବା ନୂତନ ଟ୍ରେଡ଼କୁ ଅନ୍ତର୍ଭୁକ୍ତ କରିବା ଏବଂ ବିଭିନ୍ନ ଅନୁଷ୍ଠାନରେ ଗୋଟିଏ ଟ୍ରେଡ଼ରେ ଥିବା ସ୍ୱଳ୍ପ ସଂଖ୍ୟକ ସିଟକୁ ଗୋଟିଏ ଅନୁଷ୍ଠାନକୁ ସ୍ଥାନାନ୍ତରଣ ଦ୍ୱାରା ଏକତ୍ରିକରଣ କରି ଖାଲି କରାଯାଇଥବା ଅନୁଷ୍ଠାନ ଗୁଡିକରେ ସେହି ସ୍ଥାନରେ ଚାହିଦା ଥିବା ନୂତନ ଟ୍ରେଡ଼ ଅନ୍ତର୍ଭୁକ୍ତ କରିବା ନିମନ୍ତେ ପ୍ରକ୍ରିୟା ଆରମ୍ଭ କରିବା ପାଇଁ ବିଭଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ଗତକାଲି ଏହି କ୍ଷେତ୍ର ପରିଦର୍ଶନ ପରେ ସର୍କିଟ ହାଉସ ଠାରେ ରାତ୍ରୀ ଯାପନ ପରେ ଆଜି ରାଇରଙ୍ଗପୁର ଉପଖଣ୍ଡରେ ବିଜାତଳା ବ୍ଲକ ଅଧିନସ୍ଥ ଯୋଡ଼ାମହୁଲ ଠାରେ ନିର୍ମାଣ ହେବାକୁ ଥିବା ଦକ୍ଷତା ବିକାଶ କେନ୍ଦ୍ରର ସ୍ଥାନ ପରିଦର୍ଶନ କରିଥିଲେ। ଏହାପରେ ଅଁଳାଡୁବା ଠାରେ ଫ୍ରଷ୍ଟି ଇଣ୍ଡିଆ ପ୍ରାଇଭେଟ ଲିମିଟେଡ଼ ଦ୍ୱାରା ଚାଲୁଥିବା ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣର ପିଏଲଟିପି ତାଲିମ କେନ୍ଦ୍ର, ପୁରୁଣାପାଣି ଠାରେ ଏସ ଏସ ଡି ଉଚ୍ଚମାଧ୍ୟମିକ ବିଦ୍ୟାଳୟ ଠାରେ ଅଭିଷେକ ଏଜୁକେଶନାଲ ସୋସାଇଟି ତରଫରୁ ଚାଲିଥିବା ତାଲିମ କେନ୍ଦ୍ର ଓ ପାହାଡପୁର ଠାରେ ଏଲ ଏନ ଟି ତରଫରୁ ଏସଏଲ ଏସ ଟ୍ରଷ୍ଟର ତାଲିମ କେନ୍ଦ୍ର, ରାମତୀର୍ଥ ଠାରେ ବନ ବିଭାଗ ତରଫରୁ ନିର୍ମାଣ ହେବାକୁ ଥିବା ତାଲିମ କେନ୍ଦ୍ରର ସ୍ଥାନ ପରିଦର୍ଶନ ଓ କରଞ୍ଜିଆ ସ୍ଥିତ ସରକାରୀ ବୈଷୟିକ ଶିକ୍ଷାନୁଷ୍ଠାନ ପରିଦର୍ଶନ କରି ଥିଲେ।

ଉକ୍ତ ଗସ୍ତ କାର୍ଯ୍ୟକ୍ରମ ସମୟରେ ପ୍ରଶାସନ ତରଫରୁ ତା’ଙ୍କ ସହିତ ମୟୁରଭଞ୍ଜର ଅତିରିକ୍ତ ଜିଲ୍ଲାପାଳ, ଦୁଖବନ୍ଧୁ ନାୟକ,ଅତିରିକ୍ତ ଜିଲ୍ଲାପାଳ, ରାଇରଙ୍ଗପୁର ସୁଚାରୁ ବଳ, ରାଇରଙ୍ଗପୁର ଉପଜିଲ୍ଲାପାଳ ସୌମ୍ୟ ରଞ୍ଜନ ପ୍ରଧାନ, କରଞ୍ଜିଆ ଉପଜିଲ୍ଲାପାଳ କସ୍ତୁରୀ ପଣ୍ଡା, ଏ ସି ଏଫ ହ୍ୟୁମାନ ନାଏକ, ରାଇରଙ୍ଗପୁର ପୂର୍ତ୍ତ ବିଭାଜନର ଅଧିକ୍ଷଣ ଯନ୍ତ୍ରୀ ସୁମିତ ସାହୁ, ଏସ ଡି ଓ ଶ୍ୟାମ ସୁନ୍ଦର ହେମ୍ବ୍ରମ, ଦକ୍ଷତା ବିକାଶ ଓ ନିୟୋଜନ ଅଧିକାରୀ ଆଶିଷ ବସନ୍ତିଆ, ତହସିଲଦାର ବିଜାତଳା ଓ କପ୍ତିପଦା, ଆର ଡବ୍ଲ୍ୟୁ ଯନ୍ତ୍ରୀ ଓ ଖଣ୍ଟ ଆର ଆଇ ଉପସ୍ଥିତ ରହିଥିଲେ।

Leave a Reply

Your email address will not be published. Required fields are marked *