ବାରିପଦା : 19.11.2024// ମୟୂରଭଞ୍ଜ ଜିଲ୍ଲା ସଦର ମହକୁମା ବାରିପଦା ସ୍ଥିତ କଲେଜ ପଡିଆ ଠାରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ପକ୍ଷରୁ ମଙ୍ଗଳବାର ଦିନ ଜିଲ୍ଲା ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ୨୦୨୪ ଉଦ୍ଘାଟିତ ହୋଇଯାଇଛି। ଏହି ମେଳାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭାରତୀ ହାଁସଦା, ଏବଂ ସମ୍ମାନିତ ଅତିଥି ଭାବେ ବିଧାୟକ ସାରସକଣା, ଭାଦବ ହାଁସଦା ଓ ବିଧାୟକ ବଡ଼ସାହି, ସନାତନ ବିଜୁଳି ଯୋଗ ଦେଇଥିବା ବେଳେ, ଜିଲ୍ଲପାଳ ହେମକାନ୍ତ ସୟ ବିଶିଷ୍ଟ ଅତିଥି ଭାବେ ଯୋଗ ଦେଇ ଏହି ଦୁଇ ଦିନିଆ ଜିଲ୍ଲା ସ୍ତରୀୟ ମେଳାର ଉଦ୍ଘାଟନ କରିଥିଲେ।

କାର୍ଯ୍ୟକ୍ରମ ଆରମ୍ଭରେ, ସମସ୍ତ ସମ୍ମାନୀୟ ଅତିଥିଙ୍କ ସମେତ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡଃ କଳ୍ପତରୁ ସ୍ୱାଇଁ ଏବଂ ଜିଲ୍ଲା ମତ୍ସ୍ୟ ସମ୍ପଦ ଅଧିକାରୀ ମାନସ ରଞ୍ଜନ ସାହୁ, ମେଳା ସ୍ଥିତ ଗୋପୁଜନ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରି ସାରିବା ପରେ ପ୍ରାଣୀ ସମ୍ପଦ ଷ୍ଟଲ ପରିଦର୍ଶନ କରି ମଂଚ ଉପରକୁ ଆସି ବିଧିବଦ୍ଧ ଭାବେ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।

ସ୍ୱାଗତ ଭାଷଣରେ ଡଃ ସ୍ୱାଇଁ କହିଥିଲେ ଯେ ଏହି ପ୍ରାଣୀ ସମ୍ପଦ ମେଳା, ୨ ଲକ୍ଷରୁ ଉର୍ଦ୍ଦ୍ୱ ଚାଷୀ ମାନଙ୍କ ଜ୍ଞାନ କୌଶଳ ବୃଦ୍ଧି ସମେତ, ଉନ୍ନତ ପ୍ରଯୁକ୍ତିବିଦ୍ୟାର ଉପଯୋଗ ନିମିତ୍ତ କିଭଳି ସହାୟକ ହୋଇପାରିବ ସେଥିପାଇଁ ବିଭାଗ ସର୍ବଦା କାର୍ଯ୍ୟରତ ଏବଂ ଏଥିପାଇଁ କାମଧେନୁ, ଗୋକୁଳ ମିଶନ ଭଳି ଯୋଜନା ଚାଷୀ ମନଙ୍କ ହିତରେ କାର୍ଯ୍ୟକାରୀ ହେଉଛି ।

ସେହିପରି, ଜିଲ୍ଲାପାଳ ନିଜ ଅଭିଭାଷଣରେ କହିଥିଲେ ଯେ ମୟୂରଭଞ୍ଜ ଭଳି ଜିଲ୍ଲାରେ ଚାଷକୁ ନେଇ ମାନସିକତା ର ପରିବର୍ତ୍ତନ ଆବଶ୍ୟକ। ଗୋ-ପାଳନ, ମତ୍ସ୍ୟ ପାଳନ ଭଳି ଲାଭଜନକ ଚାଷ କେବଳ ଆର୍ଥିକ ନୁହେଁ, ସାମାଜିକ ସ୍ତରରେ ଏକ ସକାରାତ୍ମକ ଚିନ୍ତାଧାରା ତିଆରି କରିବ। ଏହି ଅବସରରେ, ଜିଲ୍ଲାପାଳ ବେତନଟୀରେ ହେବାକୁ ଥିବା ଗୋଷ୍ଠୀ ଗୋ-ଶାଳାର ପ୍ରକୃତ ଉପାଦେୟତା ବିଷୟରେ ଆଲୋକପାତ କରିଥିଲେ।

ଏହି ମେଳାରେ ୪ ଜଣ ସଫଳ ଚାଷୀ ଯଥା ବଡ଼ସାହିର ଅଞ୍ଜଳି ଦାସ ଗୋସ୍ୱାମୀ (ପଶୁ ପାଳନ), ପାଳବଣିର ସତ୍ୟପ୍ରକାଶ ମହାପାତ୍ର (ମାଛ ଚାଷୀ), ନାଉପାଳର ହରିଶ ଚନ୍ଦ୍ର କୁଣ୍ଡୁ (ମାଛ ଚାଷୀ) ଓ ଝାରପୋଖରିଆର ବସନ୍ତ କୁମାର ସିଂ (ପଶୁପାଳନ)ଙ୍କୁ ୫୦୦୦ ଟଙ୍କା ଲେଖାଏଁ ପୁରସ୍କାର ଅର୍ଥ ରାଶି ସମ୍ମାନନୀୟ ଅତିଥି ମାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ଅବସରରେ ମୁଖ୍ୟ ଅତିଥି ଶ୍ରୀମତୀ ହାଁସଦା ଜିଲ୍ଲାରେ କିଭଳି ଜୈବିକ କୃଷିର ପ୍ରାଧାନ୍ୟ ବଢିବ ସେ ନେଇ ବକ୍ତବ୍ୟ ରଖିଥିଲେ।

ଚାଷୀମାନଙ୍କ ଆର୍ଥିକ ଅଭିବୃଦ୍ଧି କ୍ଷେତ୍ରରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦର ଭୂମିକା ଉପରେ ବିଶେଷ ଗୁରୁତ୍ୱାରୋପ କରିବାପାଇଁ ଆୟୋଜିତ ଏହି ମେଳାରେ ସବୁ ବର୍ଗର ଚାଷୀଙ୍କ ଆୟକୁ ଦ୍ୱିଗୁଣିତ କରିବା ପାଇଁ ଏବଂ ଏହି ଉତ୍ତମ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ କରି ଏହି କ୍ଷେତ୍ରରେ ରୋଜଗାରର ଲକ୍ଷ ଲକ୍ଷ ନୂତନ ସୁଯୋଗ ସୃଷ୍ଟି କରିବା ପାଇଁ, ସରକାରଙ୍କର ଭିନ୍ନ ଏକ ପ୍ରୟାସ ହୋଇଥିବା ବେଳେ , ଆଜିର ଏହି ମେଳାରେ ଜିଲ୍ଲାର ସହ ସହ ସଂଖ୍ୟାରେ ଚାଷୀ ଯୋଗ ଦେଇଥିଲେ। ଉଦ୍ଘାଟନୀ କାର୍ଯ୍ୟକ୍ରମ ସମାପ୍ତ ହେବାପରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଲୋକକଳା ଏବଂ ବିଭିନ୍ନ ନାଟ୍ୟ ମାଧ୍ୟମରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦର ଆବଶ୍ୟକତା ଏବଂ ଭୂମିକା ଉପରେ ଆଲୋକପାତ କରାଯାଇଥିଲା। ସୂଚନା ଥାଉକି, ଆସନ୍ତା କାଲି ଏହି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳାର ଉଦ୍ଯାପନୀ ସମାରୋହ ଅନୁଷ୍ଠିତ ହେବ।

Leave a Reply

Your email address will not be published. Required fields are marked *