ବାରିପଦା – ତା :- ୧୬/୧୦/୨୦୨୫ ରିଖ ସ୍ଥାନୀୟ ବାରିପଦା ସ୍ଥିତ ପ୍ରାରମ୍ଭିଜ ଶିକ୍ଷକ ଶିକ୍ଷା ପ୍ରତିଷ୍ଠାନ ପରିସରରେ ସମଗ୍ର ଶିକ୍ଷା, ମୟୁରଭଞ୍ଜ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ “କଳା ଉତ୍ସବ – ୨୦୨୫” ସମାରୋହରେ ଅନୁଷ୍ଠିତ ହୋଇଯାଇଛି I ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠୀ, ସମ୍ମାନିତ ଅତିଥି ଭାବେ ପ୍ରତିଷ୍ଠାନର ଭାରପ୍ରାପ୍ତ ଅଧ୍ୟକ୍ଷ ଡଃ ପ୍ରିୟ ରଞ୍ଜନ ଦାଶ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶଶୀଧର ସିଂ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମର ସଫଳତା କାମନା କରିଥିଲେ I ଆଦିବାସୀ ଶିକ୍ଷା ସଂଯୋଜକ ସପନ କୁମାର ପୃଷ୍ଟି କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଉପରେ ଆଲୋକପାତ କରିଥିବା ବେଳେ ବାଳିକା ଶିକ୍ଷା ସଂଯୋଜକ ପ୍ରଫୁଲ୍ଲ କୁମାର ବାରିକ ଧନ୍ୟବାଦ ଅର୍ପଣ କରିଥିଲେ I ଚଳିତ ବର୍ଷ “ବିକଶିତ ଭାରତ” ବିଷୟବସ୍ତୁ ଉପରେ କଳା ଉତ୍ସବ ବିଦ୍ୟାଳୟ ସ୍ତରରୁ ଜାତୀୟ ସ୍ତର ପର୍ଯ୍ୟନ୍ତ ଆୟୋଜିତ ହେଉଅଛି I ଲୋପ ପାଇଯାଉଥିବା ଭାରତୀୟ କଳା ସଂସ୍କୃତିକୁ ପୁନର୍ଜୀବିତ କରିବା ତଥା ଛାତ୍ରଛାତ୍ରୀମାନଙ୍କ ଭିତରେ ଥିବା ପ୍ରତିଭାର ବିକାଶ ନିମନ୍ତେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି I ଏହି ଉତ୍ସବରେ ଓଡିଶା ବିଦ୍ୟାଳୟ ସମେତ ବିଭିନ୍ନ ବିଦ୍ୟାଳୟର ନବମ ରୁ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଶାସ୍ତ୍ରୀୟ କଣ୍ଠ ସଂଗୀତ ଓ ନୃତ୍ୟ, ଲୋକ ସଂଗୀତ ଓ ନୃତ୍ୟ, ପାରମ୍ପରିକ ଯନ୍ତ୍ର ସଂଗୀତ, କଣ୍ଢେଇ ପ୍ରସ୍ତୁତ, ଚିତ୍ରକଳା, ହସ୍ତକଳା, ନାଟକ ଓ ପାରମ୍ପରିକ ଗଳ୍ପ କଥନରେ ଅଂଶଗ୍ରହଣ କରି ନିଜନିଜର ଶ୍ରେଷ୍ଠତା ପ୍ରତିପାଦନ କରିଥିଲେ I ପ୍ରତ୍ୟେକ ବିଭାଗରେ ୧ମ ସ୍ଥାନ ଅଧିକାର କରିଥିବା କୃତି ପ୍ରତିଯୋଗୀମାନେ ବାଲେଶ୍ୱର ଠାରେ ଅନୁଷ୍ଠିତ ହେବାକୁ ଥିବା ଜୋନାଲ ସ୍ତରୀୟ କଳା ଉତ୍ସବରେ ଅଂଶଗ୍ରହଣ କରିବେ I ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରିଣୀ ମମତାମୟୀ ବିଶ୍ୱାଳ, ମୁଖ୍ୟ ବକ୍ତା ଭାବେ ବିଶିଷ୍ଟ ମଞ୍ଚ ଓ ଚଳଚିତ୍ର ଅଭିନେତା ଓ ନିର୍ଦ୍ଦେଶକ ଚିନ୍ମୟ ଦାସ ପଟ୍ଟନାୟକ, ସମ୍ମାନିତ ଅତିଥି ଭାବେ ଅନ୍ତର୍ନିବେଶୀ ଶିକ୍ଷା ସଂଯୋଜକ ନିରଞ୍ଜନ ନାୟକ ପ୍ରମୁଖ ଯୋଗଦେଇ ପୁରସ୍କାର ବିତରଣ କରିବା ସହ ପରବର୍ତ୍ତୀ ପର୍ଯ୍ୟାୟ ପାଇଁ ସଫଳତା କାମନା କରିଥିଲେ I ଶିକ୍ଷକ ହରେନ୍ଦ୍ର ମହାନ୍ତ ମଞ୍ଚ ପରିଚାଳନା କରିଥିବା ବେଳେ କାର୍ଯ୍ୟକ୍ରମର ସଫଳତା ପାଇଁ ସପନ କୁମାର ପୃଷ୍ଟ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ I
